Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Delhi-Aizawl Flight: ବିମାନରେ ଅସୁସ୍ଥ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ୩ ଡାକ୍ତର, ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆଇଜଲ୍‌ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଦୀର୍ଘଦିନ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଏହି ଯାତ୍ରୀଙ୍କ ଶ୍ୱାସକଷ୍ଟ ବଢ଼ିଯିବା ସହ ଅକ୍ସିଜେନ୍‌ ସ୍ତର ପ୍ରାୟ ୪୦ ପ୍ରତିଶତକୁ ଖସିଯାଇଥିଲା। ବିମାନରେ ଡାକ୍ତର ଅଛନ୍ତି କି ବୋଲି ଘୋଷଣା ହେବା ପରେ ଡାକ୍ତର ୱିଲି ଲାଲ୍‌ହ୍ରୁଆଇଟ୍‌ଲୁଆଙ୍ଗା, ଡାକ୍ତର ଏଫ୍‌. ରେମ୍‌ଥାଙ୍ଗପୁଇ ଓ ଡାକ୍ତର ବେଞ୍ଜାମିନ୍‌ କିଆଙ୍ଗ୍‌ତେ ଆଗକୁ ଆସିଥିଲେ।

ବିମାନ ଭିତରେ ଉପଲବ୍ଧ ସାଧନ ବ୍ୟବହାର କରି ୩ ଡାକ୍ତର ଯାତ୍ରୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ସେମାନଙ୍କ ଚେଷ୍ଟାରେ ଯାତ୍ରୀଙ୍କ ଅକ୍ସିଜେନ୍‌ ସ୍ତର ପ୍ରାୟ ୯୦ ପ୍ରତିଶତକୁ ବଢ଼ିଥିଲା। କିନ୍ତୁ ପରେ ପୁଣି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ବିମାନ ଲେଙ୍ଗପୁଇ ବିମାନବନ୍ଦରରେ ପହଞ୍ଚିବା ପରେ ମଧ୍ୟ ଡାକ୍ତରମାନେ ଚିକିତ୍ସା ଜାରି ରଖିଥିଲେ। ସେମାନେ ଯାତ୍ରୀଙ୍କୁ ଶ୍ୱାସନଳୀରେ ଟ୍ୟୁବ୍‌ ଲଗାଇ ଚିକିତ୍ସା କରିବା ସହ ହସ୍ପିଟାଲରେ ICU ବେଡ୍‌ ବ୍ୟବସ୍ଥା କରିଥିଲେ ଏବଂ ତାଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ନେଇଯାଇଥିଲେ।

ପରେ ଯାତ୍ରୀଙ୍କ ଡାଏଲିସିସ୍‌ କରାଯାଇଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାପଡ଼ିଛି। ଗୁରୁତର ସମୟରେ ନିଜ ଯାତ୍ରାକୁ ପଛରେ ରଖି ଏହି ୩ ଡାକ୍ତର ଯାତ୍ରୀଙ୍କ ଚିକିତ୍ସାରେ ସହଯୋଗ କରିଥିଲେ। ଏପରିକି ହସ୍ପିଟାଲ ଯିବା ସମୟରେ ସେମାନେ ନିଜ ଲଗେଜ୍‌ ମଧ୍ୟ ବିମାନବନ୍ଦରରେ ଛାଡ଼ି ଯାଇଥିବା ରିପୋର୍ଟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ