ଜଜ୍ ନିଯୁକ୍ତିରେ ସ୍ୱଚ୍ଛତା ଉପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ଜୋର; ‘ପିମ୍ପୁଡ଼ି’ ମନ୍ତବ୍ୟକୁ ନେଇ ଉଠାଇଲେ ପ୍ରଶ୍ନ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଉଜ୍ଜଳ ଭୂୟାନ ନ୍ୟାୟାଧୀଶ ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବା ଉପରେ ଜୋର ଦେଇଛନ୍ତି। ବିଧି ସେଣ୍ଟର ଫର୍ ଲିଗାଲ୍ ପଲିସି ପକ୍ଷରୁ ‘ଜୁଡିସିଆଲ୍ ଟ୍ରାନ୍ସପାରେନ୍ସି ଇଣ୍ଡେକ୍ସ’ ଉନ୍ମୋଚନ ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ସେ କହିଥିଲେ ଯେ, କଲେଜିୟମ୍ ପକ୍ଷରୁ ନ୍ୟାୟାଧୀଶ ନିଯୁକ୍ତି ପାଇଁ କାରଣ ସାର୍ବଜନୀନ ନ କରାଯିବା ଯୋଗ୍ୟ ବିଚାରପତିଙ୍କ ପ୍ରତି ଅନ୍ୟାୟ। ସେମାନଙ୍କ କାର୍ଯ୍ୟ ଓ ସଫଳତା ଲୋକଙ୍କ ସାମ୍ନାକୁ ଆସିବା ଉଚିତ ବୋଲି ସେ କହିଛନ୍ତି।
ବିଚାରପତି ଭୂୟାନ କହିଥିଲେଯେ, ନିଯୁକ୍ତି ସମ୍ପର୍କିତ କାରଣ ଗୋପନ ରଖିବା ଫଳରେ ଏଭଳି ବ୍ୟକ୍ତିମାନେ ମଧ୍ୟ ବିଚାରପତି ହୋଇପାରନ୍ତି, ଯେଉଁମାନେ ପରେ ସମ୍ବିଧାନ ବିରୋଧୀ କିମ୍ବା ଅନୁଚିତ ମନ୍ତବ୍ୟ ଦିଅନ୍ତି। ସେ ଉଦାହରଣ ଦେଇ କହିଥିଲେ ଯେ, କିଛି ଲୋକ ଲୋକସମୂହକୁ ‘ପିମ୍ପୁଡ଼ି’ ବୋଲି ସମ୍ବୋଧନ କରିଥିଲେ, ଯାହା ସମ୍ବିଧାନର ମୂଲ୍ୟବୋଧ ସହ ସମ୍ପୂର୍ଣ୍ଣ ବିରୋଧାଭାସୀ। ଏପରି ବ୍ୟକ୍ତିଙ୍କ ଉନ୍ନତିକୁ ରୋକିବା ପାଇଁ ଖୋଲା ଆଲୋଚନା ଏବଂ ନିଯୁକ୍ତି ପଛର କାରଣ ସାର୍ବଜନୀନ କରାଯିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ କଲେଜିୟମ୍ ବୈଠକରେ ନ୍ୟାୟାଧୀଶଙ୍କ ନିଯୁକ୍ତି ଓ ବଦଳି ସମ୍ପର୍କିତ ଆଲୋଚନା ଗୋପନ ରହୁଛି ଏବଂ ସୁପାରିଶ ଖାରଜ କିମ୍ବା ସ୍ଥଗିତ କରିବାର କାରଣ ମଧ୍ୟ ସାର୍ବଜନୀନ ହେଉନାହିଁ। ସମ୍ପ୍ରତି କଲେଜିୟମ୍ର ତିନୋଟି ବିବୃତ୍ତିରେ ନିଯୁକ୍ତି ପାଇଁ କୌଣସି କାରଣ ଉଲ୍ଲେଖ ନ ଥିବାକୁ ସେ ଦୁଃଖ ପ୍ରକାଶ କରିଥିଲେ। ନ୍ୟାୟପାଳିକାର ସ୍ୱାଧୀନତା ରକ୍ଷା ଜରୁରୀ ହୋଇଥିଲେ ମଧ୍ୟ ଏହାର ନିଯୁକ୍ତି ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ଜବାବଦେହି ହେବା ଉଚିତ ବୋଲି ବିଚାରପତି ଭୂୟାନ ମତ ଦେଇଛନ୍ତି।

