ମଧ୍ୟପ୍ରାଚ୍ୟରେ ବଢ଼ୁଛି ଯୁଦ୍ଧ ଆଶଙ୍କା: ନିଜ ନାଗରିକଙ୍କୁ ସତର୍କ କଲା ଆମେରିକା, ଶୀଘ୍ର ଅଞ୍ଚଳ ଛାଡ଼ିବାକୁ ପରାମର୍ଶ
ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ମଧ୍ୟରେ ପୁଣି ତିବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଆମେରିକା ନିଜ ନାଗରିକଙ୍କୁ ସତର୍କ ରହିବା ସହ ପ୍ରୟୋଜନ ପଡ଼ିଲେ ତୁରନ୍ତ ଅଞ୍ଚଳ ଛାଡ଼ିବାକୁ ପରାମର୍ଶ ଦେଇଛି। ଜୋର୍ଡାନ, ଇରାକ ଓ ଇସ୍ରାଏଲରେ ଥିବା ଆମେରିକୀୟ ଦୂତାବାସଗୁଡ଼ିକ ସୁରକ୍ଷା ପରାମର୍ଶ ଜାରି କରି କହିଛନ୍ତି ଯେ, ପରିସ୍ଥିତି ଆହୁରି ଖରାପ ହେଲେ ନାଗରିକମାନେ ଅଞ୍ଚଳ ଛାଡ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ବିମାନ ସେବା ବାତିଲ, ଆକାଶପଥ ବନ୍ଦ ଏବଂ ଯାତ୍ରାରେ ବାଧା ସୃଷ୍ଟି ହୋଇପାରେ ବୋଲି ମଧ୍ୟ ସତର୍କ କରାଯାଇଛି।
ଏପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ଆମେରିକା ପୁଣିଥରେ ଇରାନ ଉପରେ ବଡ଼ ଧରଣର ସାମରିକ ଆକ୍ରମଣ କରିବ। ଅନ୍ୟପଟେ ଇରାନ ଆମେରିକା ଉପରେ ଉତ୍ତେଜନା ବଢ଼ାଇବାର ଅଭିଯୋଗ ଆଣିବା ସହ ଆମେରିକାକୁ ସହଯୋଗ କରୁଥିବା ଦେଶଗୁଡ଼ିକୁ ମଧ୍ୟ କଡ଼ା ସତର୍କବାଣୀ ଦେଇଛି। କୁଏତରେ ଡ୍ରୋନ୍ ଆକ୍ରମଣ ଘଟିଥିବା ବେଳେ ସରକାରୀ ସଂସ୍ଥା ସମେତ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି, ଯଦିଓ କୌଣସି ଜୀବନହାନି ହୋଇନାହିଁ।
ସେହିପରି ଓମାନ ଉପକୂଳରେ ହର୍ମୁଜ୍ ଜଳପଥ ନିକଟରେ ଦୁଇଟି ତୈଳବାହୀ ଜାହାଜ ଉପରେ ଆକ୍ରମଣ ହୋଇଥିବା ଖବର ମିଳିଛି। ଏକ ଜାହାଜର ଇଞ୍ଜିନ୍ ରୁମ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ ଜାହାଜ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏହାସହ ୟେମେନର ହୁଥି ବିଦ୍ରୋହୀମାନେ ବାବ୍-ଏଲ୍-ମାଣ୍ଡେବ୍ ଜଳପଥରେ ଅବରୋଧ ଘୋଷଣା କରିବା ପରେ ସାଉଦି ଆରବର ଅନେକ ଜାହାଜ ବିକଳ୍ପ ସମୁଦ୍ରପଥ ବ୍ୟବହାର କରୁଛନ୍ତି। ଏହି ଘଟଣାଗୁଡ଼ିକ ବିଶ୍ୱ ତୈଳ ଯୋଗାଣ ଓ ଆନ୍ତର୍ଜାତିକ ବାଣିଜ୍ୟକୁ ନେଇ ଚିନ୍ତା ବଢ଼ାଇଛି।

