ଏଲ୍ଓସିରେ ୨୫୦ ହାୱିଜର ତୋପ ମୁତୟନ କଲା ପାକିସ୍ତାନ! ବଢ଼ିଲା ସୀମା ତିକ୍ତତା, ସତର୍କରେ ଭାରତ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ପୁଣି ଠାରେ ବିବାଦ ବଢିବା ନେଇ ସଙ୍କେତ ଦେଖାଯାଉଛି । ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ପାକିସ୍ତାନ ୨୫୦ଟି ଆଧୁନିକ ହାୱିଜର ତୋପ ମୁତୟନ କରିବା ଆରମ୍ଭ କରିଥିବା ଖବର ସାମ୍ନାକୁ ଆସିଛି। ଚୀନ୍ରୁ ପ୍ରାପ୍ତ ଏହି ଏସ୍ଏଚ୍-୧୫ (SH-15) ୧୫୫ ମିମି ସେଲ୍ଫ-ପ୍ରୋପେଲ୍ଡ ଆର୍ଟିଲରି ସିଷ୍ଟମ୍ ୪୦ରୁ ୭୨ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ରଣନୀତିକ ଅଞ୍ଚଳରେ ଏହି ତୋପଗୁଡ଼ିକୁ ପର୍ଯ୍ୟାୟକ୍ରମେ ମୁତୟନ କରାଯାଉଥିବା କୁହାଯାଉଛି।
‘ଅପରେସନ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏତେ ବଡ଼ ପରିମାଣରେ ଆର୍ଟିଲରି କ୍ଷମତା ବଢ଼ାଇବାକୁ ପଦକ୍ଷେପ ନେଇଛି। ୨୦୨୫ ମେ’ ମାସରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ ଅଞ୍ଚଳରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ୍ କରି କରିଥିବା ଅଭିଯାନ ପରେ ପାକିସ୍ତାନର ଆର୍ଟିଲରି ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଥିଲା। ବର୍ତ୍ତମାନ ସେହି କ୍ଷମତାକୁ ପୁଣି ସୁଦୃଢ଼ କରିବା ପାଇଁ ଏହି ଆଧୁନିକ ତୋପ ମୁତୟନ କରାଯାଉଛି ବୋଲି ରିପୋର୍ଟରେ ଦାବି କରାଯାଇଛି।
ଚୀନ୍ର ସରକାରୀ କମ୍ପାନି ନୋରିଙ୍କୋ ନିର୍ମିତ ଏସ୍ଏଚ୍-୧୫ ହାୱିଜର ଏକ ଟ୍ରକ୍-ମାଉଣ୍ଟେଡ୍ ସେଲ୍ଫ-ପ୍ରୋପେଲ୍ଡ ଆର୍ଟିଲରି ସିଷ୍ଟମ୍। ଏହା ଘଣ୍ଟାପ୍ରତି ପ୍ରାୟ ୯୦ କିଲୋମିଟର ବେଗରେ ଗତି କରିପାରେ ଏବଂ ମିନିଟ୍କୁ ୬ ରାଉଣ୍ଡ ପର୍ଯ୍ୟନ୍ତ ଗୁଳିମାଡ଼ କରିବାର କ୍ଷମତା ରଖିଛି। ଏହି ମୁତୟନକୁ ନେଇ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ପରିସ୍ଥିତି ଉପରେ ନଜର ରଖିଥିବାବେଳେ ସୀମାରେ ସତର୍କତା ବଢ଼ାଯାଇଛି।

