Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ଐତିହାସିକ ବିଜୟ; ଭୁସୁଡ଼ିଲା ବିଜେପିର ୩୫ ବର୍ଷର ଗଡ଼

ପାଟନା: ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଐତିହାସିକ ବିଜୟ ହାସଲ କରିଛନ୍ତି। ବିଜେପି ପ୍ରାର୍ଥୀ ନୀରଜ କୁମାର ସିହ୍ନାଙ୍କୁ ବହୁ ଭୋଟରେ ପଛରେ ପକାଇ ସେ ବିଜେପିର ପ୍ରାୟ ୩୫ ବର୍ଷର ଅଭେଦ୍ୟ ଦୁର୍ଗକୁ ଭାଙ୍ଗି ଦେଇଛନ୍ତି। ପୋଷ୍ଟାଲ ବାଲାଟ ଗଣନାରୁ ହିଁ ପ୍ରଶାନ୍ତ କିଶୋର ଅଗ୍ରଣୀ ରହିଥିଲେ ଏବଂ ଗଣନାର ସମସ୍ତ ପର୍ଯ୍ୟାୟରେ ସେହି ଅଗ୍ରଣୀ ବଜାୟ ରଖିଥିଲେ।

ବାଙ୍କିପୁର ରାଜଧାନୀ ପାଟନାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ଭାବେ ପରିଚିତ। ଏହା ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଦଖଲରେ ଥିଲା। ନିତିନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆସନଟି ଖାଲି ପଡ଼ିଥିଲା ଏବଂ ଏହି ଉପନିର୍ବାଚନ ଆୟୋଜିତ ହୋଇଥିଲା। ବିଜେପି ପକ୍ଷରୁ ନୀରଜ କୁମାର ସିହ୍ନା, ଜନ ସୁରାଜ ପକ୍ଷରୁ ପ୍ରଶାନ୍ତ କିଶୋର ଏବଂ ଆରଜେଡି ପକ୍ଷରୁ ରେଖା ଗୁପ୍ତା ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।

ପ୍ରଶାନ୍ତ କିଶୋରଙ୍କ ପାଇଁ ଏହା ପ୍ରଥମ ନିର୍ବାଚନୀ ବିଜୟ ହୋଇଥିବାବେଳେ, ଏହି ଫଳାଫଳକୁ ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ବୋଲି ଦେଖାଯାଉଛି। ବିଜେପିର ପାରମ୍ପରିକ ଭୋଟବ୍ୟାଙ୍କରେ ସେ ସିଧାସଳଖ ସେନ୍ଧ ମାରିବାରେ ସଫଳ ହୋଇଥିବାବେଳେ, ଜନ ସୁରାଜ ପାର୍ଟି ପାଇଁ ଏହି ବିଜୟ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ମନୋବଳ ସୃଷ୍ଟି କରିଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ, ବାଙ୍କିପୁରର ଏହି ଫଳାଫଳ ବିହାରରେ ପାରମ୍ପରିକ ରାଜନୈତିକ ସମୀକରଣକୁ ବଦଳାଇବାର ସଙ୍କେତ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ