ବିବାହ ପାଇଁ ବିଳମ୍ବ କରିବାରୁ ପ୍ରେମିକଙ୍କୁ ହତ୍ୟା! ଭଡ଼ାଘରୁ ଉଦ୍ଧାର ହେଲା ପଚାସଢ଼ା ମୃତଦେହ
ଫରିଦାବାଦ: ହରିୟାଣାର ଫରିଦାବାଦରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବିବାହ କରିବାକୁ ମନା କରିବାରୁ ଜଣେ ୩୩ ବର୍ଷୀୟା ମହିଳା ନିଜ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତା ଅନୀତାଙ୍କ ଭଡ଼ାଘରୁ ଦୁଇ ଦିନ ପରେ ପ୍ରେମିକ ସଦାକତଙ୍କ ପଚାସଢ଼ା ମୃତଦେହ ଉଦ୍ଧାର କରାଯାଇଥିଲା। ଶନିବାର ତାଙ୍କୁ ଅଦାଲତରେ ହାଜର କରାଯିବା ପରେ ଦୁଇ ଦିନିଆ ପୁଲିସ ରିମାଣ୍ଡକୁ ପଠାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଅନୀତା ମଧ୍ୟପ୍ରଦେଶର ରେୱା ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ସଦାକତ ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାର ନିବାସୀ ଅଟନ୍ତି | ଉଭୟେ ଫରିଦାବାଦର ଏକ ଆବାସିକ ସୋସାଇଟିରେ କାମ କରୁଥିଲେ। ସଦାକତ ଘର ରଙ୍ଗ କାମ କରୁଥିବା ବେଳେ ଅନୀତା ସଫେଇ କର୍ମୀ ଭାବେ କାର୍ଯ୍ୟରତ ଥିଲେ। ଦୁହେଁ ପୂର୍ବରୁ ବିବାହିତ ଥିଲେ । ଅନୀତାଙ୍କୁ ତାଙ୍କ ସ୍ୱାମୀ ପରିତ୍ୟାଗ କରିଥିବା ବେଳେ ସେ ବାରମ୍ବାର ସଦାକତଙ୍କୁ ବିବାହ କରିବାକୁ କହୁଥିଲେ। କିନ୍ତୁ ସଦାକତ ଏହାକୁ ବିଳମ୍ବ କରୁଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିଲା।
ତଦନ୍ତରେ ପୁଲିସ ଜାଣିବାକୁ ପାଇଛି ଯେ, ଜୁଲାଇ ୨୫ ତାରିଖରେ ଅନୀତା ସଦାକତଙ୍କୁ ନିଜ ଭଡ଼ାଘରକୁ ଡାକି ମଦ ପିଆଇଥିଲେ। ରାତିରେ ସେ ମଦ୍ୟପ ଅବସ୍ଥାରେ ଶୋଇପଡ଼ିବା ପରେ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ହତ୍ୟା କରିଥିବା ପୁଲିସ ଅଭିଯୋଗ କରିଛି। ପରେ ଘରକୁ ବାହାରୁ ତାଲା ପକାଇ ସେ ଫେରାର ହୋଇଯାଇଥିଲେ। ସଦାକତଙ୍କ ଭାଇ ନଜାକତ ଅଲିଙ୍କ ଅଭିଯୋଗ ଆଧାରରେ ସୂରଜକୁଣ୍ଡ ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଥିଲା। ପୁଲିସ କହିଛି, ପଚରାଉଚରା ବେଳେ ଅନୀତା ହତ୍ୟା ଘଟଣା ସ୍ୱୀକାର କରିଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି।

