Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଉଦୟନିଧିଙ୍କ ବିବାଦୀୟ ମନ୍ତବ୍ୟ; ମହିଳା କମିଶନର ଦ୍ୱାରସ୍ଥ ହେଲା TVK

ତାମିଲନାଡୁ: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଏବେ ଏକ ଝଡ଼ ସୃଷ୍ଟି ହୋଇଛି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ସାର୍ବଜନିକ ସଭାରେ ସେ କରିଥିବା କଥିତ ଦ୍ୱିଅର୍ଥବୋଧକ ଟିପ୍ପଣୀକୁ ନେଇ ଥାଲାପାଥି ବିଜୟଙ୍କ ଦଳ ‘TVK’ କଡ଼ା ଆପତ୍ତି ଉଠାଇଛି। ଦଳ ପକ୍ଷରୁ ଜାତୀୟ ମହିଳା କମିଶନ (NCW) ନିକଟରେ ଅଭିଯୋଗ ଦାଖଲ କରାଯାଇଥିବା ସହ ଉଦୟନିଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

କାଭେରୀ ଜଳ ବିବାଦକୁ ନେଇ ଥଞ୍ଜାଭୁରରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଭାଷଣ ଦେଉଥିବା ବେଳେ ଉଦୟନିଧି ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କୁ ସମାଲୋଚନା କରୁଥିଲେ। ଏହି ସମୟରେ ସଭାରେ କିଛି ଲୋକ “ତ୍ରିଶା, ତ୍ରିଶା” ବୋଲି ନାରା ଦେବା ପରେ ସେ ଏକ ଦ୍ୱିଅର୍ଥବୋଧକ ମନ୍ତବ୍ୟ କରିଥିବା ଅଭିଯୋଗ ହୋଇଛି। TVK ଏହାକୁ ମହିଳାଙ୍କ ପ୍ରତି ଅସମ୍ମାନଜନକ, ଅଶ୍ଳୀଳ ଓ ଅପମାନଜନକ ବୋଲି ବର୍ଣ୍ଣନା କରିଛି। ଦଳ କହିଛି ଯେ, ଏଭଳି ମନ୍ତବ୍ୟ ସାର୍ବଜନିକ ଜୀବନରେ ମହିଳାଙ୍କ ପ୍ରତି ଅସମ୍ମାନକୁ ପ୍ରୋତ୍ସାହିତ କରୁଛି।

TVK ନିଜ ଅଭିଯୋଗରେ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ନୋଟିସ୍ ଜାରି କରିବା, ତାଙ୍କଠାରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଇବା ଏବଂ ମହିଳାଙ୍କ ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା ଅଭିଯୋଗରେ ପୁଲିସ ମାମଲା ରୁଜୁ କରିବାକୁ ଦାବି କରିଛି। ଏହି ଘଟଣାକୁ ନେଇ TVK ରାଜ୍ୟବ୍ୟାପୀ ପ୍ରତିବାଦର ଘୋଷଣା ମଧ୍ୟ କରିଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ ଉଦୟନିଧିଙ୍କ ମନ୍ତବ୍ୟକୁ କଡ଼ା ଭାବେ ସମାଲୋଚନା କରି ତାଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛି। ତେବେ ଏହି ବିବାଦ ମଧ୍ୟରେ ଅଭିନେତ୍ରୀ ତ୍ରିଶାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସାର୍ବଜନିକ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories