ପ୍ରଧାନମନ୍ତ୍ରୀଙ୍କ ସେଲ୍ଫି ଭିଡିଓ ବିବାଦରେ ମାର୍କ ଜୁକରବର୍ଗଙ୍କୁ ମହୁଆ ମୈତ୍ରଙ୍କ ପରାମର୍ଶ: କହିଲେ ”ମେଟାକୁ କ୍ଷମା ମାଗିବାକୁ ବାଧ୍ୟ କରନ୍ତୁ ନାହିଁ”
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫେସବୁକ୍ ଭିଡିଓ କିଛି ସମୟ ପାଇଁ ହଟାଯିବା ଘଟଣାକୁ ନେଇ ଦେଶରେ ରାଜନୈତିକ ବିବାଦ ଚର୍ଚ୍ଚାରେ ରହିଛି। ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ସମର୍ଥନରେ ଆସି କହିଛନ୍ତି ଯେ, କମ୍ପାନୀକୁ କ୍ଷମା ମାଗିବା ପାଇଁ ଚାପ ପକାଯିବା ଉଚିତ୍ ନୁହେଁ। ସେ ସୋସିଆଲ ମିଡିଆ ପୋଷ୍ଟରେ ଅଭିଯୋଗ କରିଛନ୍ତି ଯେ, ସରକାର ପ୍ରାୟତଃ ନିଜ ବିରୋଧୀ ବିଷୟବସ୍ତୁକୁ ହଟାଇବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଉପରେ ଚାପ ସୃଷ୍ଟି କରୁଛନ୍ତି।
ମହୁଆ ମୈତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ କିଛି ଘଣ୍ଟା ପାଇଁ ଭୁଲବଶତଃ ହଟିଯିବାରୁ କୌଣସି ବଡ଼ କ୍ଷତି ହୋଇନାହିଁ। ଏହି ମନ୍ତବ୍ୟ ସେତେବେଳେ ଆସିଛି, ଯେତେବେଳେ ସଂସଦୀୟ ସ୍ଥାୟୀ କମିଟି ସମ୍ମୁଖରେ ହାଜର ହୋଇଥିବା ମେଟା ପ୍ରତିନିଧିମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ ସାମୟିକ ଭାବେ ହଟିଯିବା ଘଟଣା ପାଇଁ ସେମାନେ କ୍ଷମା ମାଗିବାକୁ ପ୍ରସ୍ତୁତ। କମ୍ପାନୀ ଏହାକୁ ଏକ ବୈଷୟିକ ତ୍ରୁଟି ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ କେନ୍ଦ୍ରର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଏହି ବ୍ୟାଖ୍ୟାକୁ ପର୍ଯ୍ୟାପ୍ତ ନୁହେଁ ବୋଲି କହିଥିବା ସୂଚନା ମିଳିଛି।
ସଂସଦୀୟ କମିଟି ବୈଠକରେ ମେଟାର କଣ୍ଟେଣ୍ଟ ମଡେରେସନ୍ ନୀତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। କମିଟି ସଦସ୍ୟମାନେ ପ୍ରଶ୍ନ କରିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ ହଟିଯାଉଥିବା ବେଳେ ଅଶ୍ଳୀଳ ଓ ଆପତ୍ତିଜନକ ବିଷୟବସ୍ତୁ କିପରି ପ୍ଲାଟଫର୍ମରେ ରହିଯାଉଛି। ସେହିପରି, ଡିପ୍ଫେକ୍ ଭିଡିଓ ଚିହ୍ନଟ କରିବାରେ ମେଟାର ଆଲଗୋରିଦମ୍ କେତେ ପ୍ରଭାବଶାଳୀ ତାହା ନେଇ ମଧ୍ୟ କମିଟି ସ୍ପଷ୍ଟୀକରଣ ଲୋଡ଼ିଥିଲା। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଗୁଗୁଲ, ଏକ୍ସ, ୟୁଟ୍ୟୁବ୍, ସ୍ନାପଚ୍ୟାଟ୍ ସହ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

