ଜୀବନକୁ ବାଜି ଲଗାଇ ସ୍କୁଲ୍ ଯାଉଛନ୍ତି ପିଲା! ନଦୀ ଉପରେ ଷ୍ଟପ୍ ଡ୍ୟାମ୍ ଡେଇଁ ପାର ହେଉଥିବାର ଭିଡିଓ ଭାଇରାଲ୍
ଭୋପାଳ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଘଟଣା। ସ୍କୁଲ୍ରେ ପହଞ୍ଚିବା ପାଇଁ କିଛି ଛାତ୍ରଛାତ୍ରୀ ପ୍ରତିଦିନ ବେତୱା ନଦୀ ଉପରେ ନିର୍ମିତ ଏକ ସଂକୀର୍ଣ୍ଣ ଷ୍ଟପ୍ ଡ୍ୟାମ୍ ଉପରେ ଡେଇଁ ଡେଇଁ ଜୀବନକୁ ବିପଦରେ ପକାଇ ଯାତାୟାତ କରୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଦୃଶ୍ୟକୁ ଦେଖି ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଯାଞ୍ଚ ପରେ ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହି ଘଟଣା ବିଦିଶା ଜିଲ୍ଲାର ପାଲୋହ ଗାଁର। କରୁଆ ଗାଁର ଛାତ୍ରଛାତ୍ରୀମାନେ ପାଲୋହ ହାଇସ୍କୁଲ୍କୁ ପଢ଼ିବାକୁ ଯାଆନ୍ତି। ସଡ଼କ ପଥରେ ଯିବାକୁ ହେଲେ ପ୍ରାୟ ୮ରୁ ୧୦ କିଲୋମିଟର ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିବାରୁ ସେମାନେ ବିପଦପୂର୍ଣ୍ଣ ଏହି ଡ୍ୟାମ୍ ଉପରେ ଯାତାୟାତ କରୁଛନ୍ତି। ପିଲାମାନଙ୍କ କହିବା ଅନୁସାରେ, ସେମାନେ ଗତ ଚାରିରୁ ପାଞ୍ଚ ବର୍ଷ ଧରି ଏହିପରି ଭାବେ ସ୍କୁଲ୍ ଯାଉଛନ୍ତି।
ଘଟଣା ଭାଇରାଲ୍ ହେବା ପରେ ବିଦିଶା ଉପଜିଲ୍ଲାପାଳ କ୍ଷିତିଜ ଶର୍ମା କହିଛନ୍ତି ଯେ, ପିଲାମାନଙ୍କୁ ସୁରକ୍ଷିତ ରାସ୍ତାରେ ସ୍କୁଲ୍ ଯିବା ପାଇଁ ସାଇକେଲ୍ ଯୋଗାଇ ଦିଆଯିବ। ଏହାସହ ନଦୀ ଉପରେ ଏକ ଅସ୍ଥାୟୀ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ପଠାଯାଇଥିବାବେଳେ ପ୍ରଭାବିତ ଗାଁ ନିକଟରେ ଏକ ନୂଆ ସ୍କୁଲ୍ ଖୋଲିବା ସମ୍ଭାବନା ନେଇ ମଧ୍ୟ ବିଚାର କରାଯାଉଛି। ତେବେ ପିଲାମାନେ ବର୍ଷ ବର୍ଷ ଧରି ଏପରି ବିପଦପୂର୍ଣ୍ଣ ଭାବେ ସ୍କୁଲ୍ ଯାଉଥିବା ସତ୍ତ୍ୱେ ପ୍ରଶାସନ ଓ ଶିକ୍ଷା ବିଭାଗ କାହିଁକି ପୂର୍ବରୁ ପଦକ୍ଷେପ ନେଇନଥିଲେ ବୋଲି ପ୍ରଶ୍ନ ଉଠିଛି |

