‘ଇସ୍ତଫା ଦେଲେ ମିନିଟ୍ ମଧ୍ୟରେ ଗ୍ରହଣ କରିବି’; କର୍ଣ୍ଣାଟକ କ୍ୟାବିନେଟ୍ ବିସ୍ତାର ପରେ ବିଦ୍ରୋହୀଙ୍କୁ ଡିକେ ଶିବକୁମାରଙ୍କ କଡ଼ା ବାର୍ତ୍ତା
କର୍ଣ୍ଣାଟକ: କର୍ଣ୍ଣାଟକ କ୍ୟାବିନେଟ୍ ବିସ୍ତାର ପରେ କଂଗ୍ରେସ ଦଳ ଭିତରେ ଅସନ୍ତୋଷ ତୀବ୍ର ହୋଇଛି। ମନ୍ତ୍ରୀପଦ ନମିଳିବାରୁ ଅନେକ ବରିଷ୍ଠ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ଯଦି କେହି ଇସ୍ତଫା ଦିଅନ୍ତି, ମୁଁ କିଛି ମିନିଟ୍ ମଧ୍ୟରେ ତାହା ଗ୍ରହଣ କରିଦେବି।” ସେହିସହ ସମସ୍ତ ଅସନ୍ତୁଷ୍ଟ ବିଧାୟକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି।
ସୋମବାର ୨୦ ଜଣ ନୂଆ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବା ସହ କ୍ୟାବିନେଟ୍ ପୂର୍ଣ୍ଣ ହୋଇଛି। ଏହି ଘଟଣାରେ ମନ୍ତ୍ରୀପଦରୁ ବଞ୍ଚିତ ହୋଇଥିବା କେତେକ ବିଧାୟକ ଓ ଦଳୀୟ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜୟନଗର ବିଧାନସଭା କ୍ଷେତ୍ରର ଦଳୀୟ ପଦାଧିକାରୀମାନେ ବରିଷ୍ଠ ନେତା ଏମ୍. କୃଷ୍ଣପ୍ପାଙ୍କୁ ମନ୍ତ୍ରୀପଦ ନମିଳିବାର ପ୍ରତିବାଦରେ ସାମୂହିକ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ମହିଳା ବିଧାୟକ ନୟନା ମୋଟମ୍ମା କ୍ୟାବିନେଟ୍ରେ କୌଣସି ମହିଳାଙ୍କୁ ସ୍ଥାନ ନମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଏହି ପରିସ୍ଥିତିରେ ଶିବକୁମାର ଦଳୀୟ ନେତାମାନଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇ କହିଛନ୍ତି ଯେ, ରାଜନୀତିରେ ଅପେକ୍ଷା କରିବାକୁ ପଡ଼େ ଏବଂ ସେ ନିଜେ ମଧ୍ୟ ବହୁଥର ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେ ବୋର୍ଡ ଓ କର୍ପୋରେସନଗୁଡ଼ିକର ପୁନର୍ଗଠନ କରି ପ୍ରଥମେ ଦଳୀୟ କର୍ମୀମାନଙ୍କୁ ସ୍ଥାନ ଦେବା ସହ ପରେ ଅସନ୍ତୁଷ୍ଟ ବିଧାୟକଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ତେବେ କ୍ୟାବିନେଟ୍ ବିସ୍ତାର ପରେ କଂଗ୍ରେସ ଭିତରେ ଅସନ୍ତୋଷ କେତେ ଦୂର ଯିବ, ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି।

