ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଭୟଙ୍କର ଟର୍ବୁଲେନ୍ସ, ୩୦୦ ଫୁଟ୍ ତଳକୁ ଖସିଲା ବିମାନ;୧୨ ଯାତ୍ରୀ ଆହତ
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI2379 ବିମାନ ମଙ୍ଗଳବାର ଉଡ଼ାଣ ସମୟରେ ହଠାତ୍ ଭୟଙ୍କର ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ବିମାନଟି ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଯାଇଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଦୁଇଜଣ କ୍ୟାବିନ୍ କ୍ରୁ ମଧ୍ୟ ଆହତ ହୋଇଛନ୍ତି। ବିମାନଟି ପରେ ସୁରକ୍ଷିତ ଭାବେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା।
ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଉଡ଼ାଣର ମଝିଭାଗରେ ଅଳ୍ପ ସମୟ ପାଇଁ ଟର୍ବୁଲେନ୍ସ ଯୋଗୁ ବିମାନର ଉଚ୍ଚତାରେ ସାମୟିକ ପରିବର୍ତ୍ତନ ଘଟିଥିଲା। କିଛି ଯାତ୍ରୀ ଓ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଥିବାରୁ ସତର୍କତାମୂଳକ ଭାବେ ସେମାନଙ୍କୁ ବିମାନବନ୍ଦରରେ ଚିକିତ୍ସା ପରୀକ୍ଷା ପାଇଁ ପଠାଯାଇଛି। ଏୟାର ଇଣ୍ଡିଆ କହିଛି ଯେ, କୌଣସି ଗୁରୁତର ଆହତର ସୂଚନା ମିଳିନାହିଁ ଏବଂ ପ୍ରଭାବିତ ଯାତ୍ରୀଙ୍କୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।
ଏହି ଘଟଣାର ତଦନ୍ତ ଡିଜିସିଏ (DGCA) ଆରମ୍ଭ କରିଛି। ଟର୍ବୁଲେନ୍ସ ସହ କୌଣସି ଯାନ୍ତ୍ରିକ ତ୍ରୁଟିର ସମ୍ପର୍କ ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା କିଛି ଭିଡିଓରେ ବିମାନର କ୍ୟାବିନ୍ର ଛାତି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି। ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ଉଡ଼ାଣର ପ୍ରାୟ ଦେଢ଼ ଘଣ୍ଟା ପରେ ବିମାନଟି ହଠାତ୍ ଜୋରରେ ତଳକୁ ଖସିବା ସହ ଦୁଇରୁ ତିନି ମିନିଟ୍ ଧରି ଭୟଙ୍କର ଭାବେ ଦୋହଲିଥିଲା। ସେ ୧୫ରୁ ୨୦ ଜଣ ଆହତ ହୋଇଥିବା ଦାବି କରିଥିଲେ ମଧ୍ୟ ଏୟାର ଇଣ୍ଡିଆ ଏହି ସଂଖ୍ୟାକୁ ସମର୍ଥନ କରିନାହିଁ। ତେବେ ତଦନ୍ତ ହେବା ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ |

