‘ମୋ ସ୍ୱାମୀ ଜୀବିତ, ତାଙ୍କୁ ବନ୍ଦୀ କରି ରଖାଯାଇଛି’: ସୁପ୍ରିମକୋର୍ଟରେ ଆବେଦନ କଲେ ଭାରତୀୟ ନାବିକଙ୍କ ପତ୍ନୀ
ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ଡ୍ରୋନ୍ ଆକ୍ରମଣରେ ମୃତ ବୋଲି ଧରାଯାଇଥିବା ମର୍ଚ୍ଚାଣ୍ଟ ନେଭି କ୍ୟାପ୍ଟେନ୍ ଆଶିଷ କୁମାରଙ୍କ ଘଟଣା ଏବେ ନୂଆ ମୋଡ଼ ନେଇଛି। କ୍ୟାପ୍ଟେନ୍ ଆଶିଷଙ୍କ ପତ୍ନୀ ଅଂଶୁ କୁମାର ସୁପ୍ରିମକୋର୍ଟରେ ହେବିଅସ୍ କର୍ପସ୍ ଆବେଦନ ଦାଖଲ କରି ଦାବି କରିଛନ୍ତି ଯେ, ତାଙ୍କ ସ୍ୱାମୀ ମୃତ ନୁହେଁ ବରଂ ବିଦେଶୀ ତତ୍ତ୍ୱଙ୍କ ଦ୍ୱାରା ବେଆଇନ ଭାବେ ବନ୍ଦୀ କରି ରଖାଯାଇଛି । ଆବେଦନରେ ସେ କହିଛନ୍ତି ଯେ, ସ୍ୱାମୀଙ୍କୁ ମୁକ୍ତ କରିବା ପାଇଁ ୨୦ ଲକ୍ଷ ଟଙ୍କା ମୁକ୍ତିପଣ ଦାବି କରି ତାଙ୍କ ନିକଟକୁ ଏକ ଆନ୍ତର୍ଜାତିକ ନମ୍ବରରୁ ଫୋନ୍ ଆସିଥିଲା।
ବିହାରର ବେଟିଆର ବାସିନ୍ଦା ୩୭ ବର୍ଷୀୟ କ୍ୟାପ୍ଟେନ୍ ଆଶିଷ କୁମାର ଚଳିତ ବର୍ଷ ମାର୍ଚ୍ଚ ୧ରେ ଗଲ୍ଫ ଅଫ୍ ଓମାନର ଖାସାବ ବନ୍ଦର ନିକଟରେ ଲଙ୍ଗର ପକାଇଥିବା ‘ସ୍କାଇ ଲାଇଟ୍’ ତୈଳ ଜାହାଜ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ନିଖୋଜ ହୋଇଥିଲେ। ଘଟଣା ପରେ ୧୦ ଜଣ ଭାରତୀୟ ନାବିକଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଶିଷ କୁମାର ଓ ଅନ୍ୟ ଜଣେ କ୍ରୁ ସଦସ୍ୟ ଦଲିପ ନିଖୋଜ ରହିଥିଲେ। ପରେ କ୍ୟାପ୍ଟେନଙ୍କ କକ୍ଷରୁ ଜଳିଯାଇଥିବା ଖପୁରୀ ଓ ହାଡ଼ ମିଳିଥିଲା ଏବଂ ତାହା ଆଶିଷଙ୍କର ବୋଲି ପ୍ରାରମ୍ଭିକ ଭାବେ ଅନୁମାନ କରାଯାଇଥିଲା। କିନ୍ତୁ ପରିବାର ପକ୍ଷରୁ ଦିଆଯାଇଥିବା ଡିଏନଏ ନମୁନା ସହ ତାହାର ମେଳ ନ ଖାଇବାରୁ ସେହି ଧାରଣା ଉପରେ ପ୍ରଶ୍ନ ଉଠିଛି।
ଆବେଦନରେ ଅଂଶୁ କୁମାର କେନ୍ଦ୍ର ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟକୁ କୂଟନୈତିକ, ବାଣିଜ୍ୟିକ ଓ ଗୁଇନ୍ଦା ସଂସ୍ଥାମାନଙ୍କ ସହାୟତାରେ କ୍ୟାପ୍ଟେନ୍ ଆଶିଷ କୁମାରଙ୍କୁ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଆବେଦନରେ ରୟାଲ୍ ଓମାନ ପୁଲିସର ଫରେନସିକ୍ ରିପୋର୍ଟ ଓ ଭାରତୀୟ ଦୂତାବାସର ସୂଚନାକୁ ଆଧାର କରି କୁହାଯାଇଛି ଯେ, ଉଦ୍ଧାର ହୋଇଥିବା ଅବଶେଷ କ୍ୟାପ୍ଟେନ୍ ଆଶିଷଙ୍କର ନୁହେଁ। ଏହାଛଡ଼ା, ଆକ୍ରମଣ ପରେ ତାଙ୍କ ଦ୍ୱିତୀୟ ମୋବାଇଲକୁ ପଠାଯାଇଥିବା ହ୍ୱାଟସ୍ଆପ୍ ସନ୍ଦେଶ ପହଞ୍ଚିଥିବା ଏବଂ ପରେ ମୁକ୍ତିପଣ ଦାବି କରି ଫୋନ୍ ଆସିଥିବା ଘଟଣାକୁ ମଧ୍ୟ ସେ ନିଜ ଦାବିର ପ୍ରମାଣ ଭାବେ ଉଲ୍ଲେଖ କରିଛନ୍ତି।

