ଚନ୍ଦ୍ରପୃଷ୍ଠରେ ଧକ୍କା ଦେଇପାରେ ସ୍ପେସ ଏକ୍ସ ରକେଟର ଅଂଶ; ସୃଷ୍ଟି ହୋଇପାରେ ବିଶାଳ ଗର୍ତ୍ତ! ପୃଥିବୀ ପାଇଁ ଅଛିକି ବିପଦ?
ନୂଆଦିଲ୍ଲୀ: ସ୍ପେସ ଏକ୍ସର ଏକ ‘ଫାଲକନ-୯’ ରକେଟର ପରିତ୍ୟକ୍ତ ଅଂଶ ଆସନ୍ତା ବୁଧବାର ଚନ୍ଦ୍ରପୃଷ୍ଠରେ ଧକ୍କା ଦେଇପାରେ ବୋଲି ମହାକାଶ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ପ୍ରାୟ ୩,୯୦୦ କିଲୋଗ୍ରାମ ଓଜନର ଏହି ରକେଟ ଖଣ୍ଡ ୨୦୨୫ ଜାନୁଆରୀ ୧୫ରେ ଉତ୍କ୍ଷେପଣ ହୋଇଥିବା ଫାଲକନ-୯ ମିଶନର ଅଂଶ ଥିଲା। ମିଶନ ସମାପ୍ତ ପରେ ଏହା ମହାକାଶରେ ଭାସୁଥିବା ବେଳେ ବର୍ତ୍ତମାନ ଚନ୍ଦ୍ରପୃଷ୍ଠ ଆଡ଼କୁ ଗତି କରୁଛି। ବିଶେଷଜ୍ଞଙ୍କ ଅନୁମାନ ଅନୁସାରେ, ଏହା ସେକେଣ୍ଡ ପ୍ରତି ପ୍ରାୟ ୨.୩୪ କିଲୋମିଟର ବେଗରେ ଚନ୍ଦ୍ରପୃଷ୍ଠରେ ଧକ୍କା ହୋଇପାରେ ।
ଆକଳନ ଅନୁଯାୟୀ, ଧକ୍କା ଫଳରେ ଚନ୍ଦ୍ରପୃଷ୍ଠରେ ପ୍ରାୟ ୩୦ ମିଟର ବ୍ୟାସର ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇପାରେ ଏବଂ ବହୁ ପରିମାଣର ଧୂଳିକଣା ଓ ପଥର ଖଣ୍ଡ ଉଡ଼ିପାରେ। ୨୦୨୨ ମସିହାରେ ମଧ୍ୟ ଏକ ପରିତ୍ୟକ୍ତ ରକେଟ ଅଂଶ ଚନ୍ଦ୍ରରେ ଧକ୍କା ଦେଇ ଦୁଇଟି ବଡ଼ ଗର୍ତ୍ତ ସୃଷ୍ଟି କରିଥିଲା। ଅନ୍ତରୀକ୍ଷ ଟ୍ରାକିଂ ବିଶେଷଜ୍ଞ ବିଲ୍ ଗ୍ରେଙ୍କ ମତାନୁସାରେ, ଏହି ରକେଟ ଖଣ୍ଡ ଚନ୍ଦ୍ରର ପଶ୍ଚିମ ଭାଗରେ ଆଘାତ କରିପାରେ। ଏହି ଧକ୍କାରୁ ପ୍ରାୟ ୩ ଟନ୍ ଟିଏନଟି ସମାନ ଶକ୍ତି ମୁକ୍ତ ହୋଇପାରେ ବୋଲି ଆକଳନ କରାଯାଇଛି।
ତେବେ ଏହି ଘଟଣାକୁ ନେଇ ପୃଥିବୀବାସୀଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି। ଧକ୍କାର ପ୍ରଭାବ କେବଳ ଚନ୍ଦ୍ରପୃଷ୍ଠରେହିଁ ସୀମିତ ରହିବ। ଉତ୍ତର ଓ ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରୁ ଉପଯୁକ୍ତ ଉପକରଣ ସାହାଯ୍ୟରେ ଏହି ଘଟଣାକୁ ଦେଖିହେବାର ସମ୍ଭାବନା ରହିଥିବା ବେଳେ, ବିଶ୍ୱର ଅଧିକାଂଶ ସ୍ଥାନରୁ ଏହା ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ। ଉଲ୍ଲେଖଯୋଗ୍ୟ, ଏହି ‘ଫାଲକନ-୯’ ରକେଟ ଫାୟାରଫ୍ଲାଏ ଏରୋସ୍ପେସ୍ର Blue Ghost-1 ଏବଂ ଜାପାନର Hakuto-R Resilience ଲୁନାର ଲ୍ୟାଣ୍ଡରକୁ ଚନ୍ଦ୍ର ଅଭିମୁଖେ ପଠାଇଥିଲା।

