ଏଣିକି ବୀମା ନଥିଲେ ପେଟ୍ରୋଲ-ଡିଜେଲ ମିଳିବନି! ସୁପ୍ରିମକୋର୍ଟଙ୍କ ବଡ଼ ପ୍ରସ୍ତାବ, କଡ଼ା ହୋଇପାରେ ନୂଆ ନିୟମ
ନୂଆଦିଲ୍ଲୀ: ବିନା ବୀମାରେ ରାସ୍ତାରେ ଚଳାଚଳ କରୁଥିବା ଯାନବାହନ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଗାଡ଼ିର ବୈଧ ବୀମା ନଥିଲେ ପେଟ୍ରୋଲ ପମ୍ପରେ ଇନ୍ଧନ ଯୋଗାଣ ବନ୍ଦ କରିବା ସମ୍ଭାବନାକୁ ନେଇ ପାଇଲଟ୍ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ସର୍ବୋଚ୍ଚ ଅଦାଲତ ଭାରତର ବୀମା ନିୟନ୍ତ୍ରକ ଓ ବିକାଶ ପ୍ରାଧିକରଣ (IRDAI) ଏବଂ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେଲେ ପେଟ୍ରୋଲ ପମ୍ପରେ ଇନ୍ଧନ ଦେବା ପୂର୍ବରୁ ଗାଡ଼ିର ବୀମା ସ୍ଥିତି ଯାଞ୍ଚ କରାଯିବ।
ଏହା ସହ ସୁପ୍ରିମକୋର୍ଟ ଜାତୀୟ ରାଜପଥରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ପରିଚୟ (ANPR) କ୍ୟାମେରା ସ୍ଥାପନ କରି ସେଗୁଡ଼ିକୁ ଯାନବାହନ ଡାଟାବେସ୍ ସହ ଲିଙ୍କ୍ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ଦ୍ୱାରା ଟ୍ରାଫିକ ପୁଲିସ ରାସ୍ତାରେ ଚଳାଚଳ କରୁଥିବା କୌଣସି ଗାଡ଼ିର ବୈଧ ବୀମା ଅଛି କି ନାହିଁ, ସହଜରେ ଜାଣିପାରିବେ। ବିନା ବୀମାରେ ଚଳାଚଳ କରୁଥିବା ଯାନବାହନ ଚିହ୍ନଟ କରି ଆଇନଗତ ପଦକ୍ଷେପ ନେବାରେ ଏହି ବ୍ୟବସ୍ଥା ସହାୟକ ହେବ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।
ଏହାବ୍ୟତୀତ ନୂଆ ଯାନ କିଣିବା ସମୟରେ ଏକକାଳୀନ ଦୀର୍ଘମିଆଦି ବୀମାକୁ ବାଧ୍ୟତାମୂଳକ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏହି ପ୍ରସଙ୍ଗରେ IRDAIକୁ ଶୀଘ୍ର ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିବାକୁ କୁହାଯାଇଛି। ପ୍ରସ୍ତାବ ଅନୁଯାୟୀ, ଘରୋଇ କାର ପାଇଁ ବାଧ୍ୟତାମୂଳକ ଥାର୍ଡ-ପାର୍ଟି ବୀମାର ଅବଧି ୩ ବର୍ଷରୁ ୪ ବର୍ଷକୁ ଏବଂ ଦୁଇଚକିଆ ଯାନ ପାଇଁ ୫ ବର୍ଷରୁ ୬ ବର୍ଷକୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଅଧିକ ସଂଖ୍ୟକ ଯାନବାହନକୁ ବୈଧ ବୀମା ପରିସରକୁ ଆଣିବା ସହ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ କ୍ଷତିପୂରଣ ମିଳିବା ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।

