Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇବା ଘଟଣା: ”କ୍ଷମା ମାଗ, ନହେଲେ ‘ସେଫ୍ ହାର୍ବର୍’ ସୁରକ୍ଷା ହରାଇବ”- ମେଟାକୁ ସଂସଦୀୟ କମିଟିର ଚେତାବନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୁଲାଇ ୨୩ ତାରିଖର ଭିଡିଓକୁ କିଛି ସମୟ ପାଇଁ ହଟାଇବା ଘଟଣାକୁ ନେଇ ମେଟା (Meta) ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ସଂସଦୀୟ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି କମିଟି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଥିବା କମିଟି ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ୩ ଦିନ ମଧ୍ୟରେ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବାକୁ ଅଲ୍ଟିମେଟମ୍ ଦେଇଛି। କମିଟି କହିଛି, ଦେଶର ୧୪୦ କୋଟି ଲୋକଙ୍କ ପ୍ରତିନିଧି ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇବା ଗଣତନ୍ତ୍ର ଉପରେ ଆକ୍ରମଣ ସଦୃଶ।

କମିଟି ସ୍ପଷ୍ଟ କରିଛି ଯେ, ଯଦି ମେଟା ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଏ, ତେବେ କମ୍ପାନୀର ‘ସେଫ୍ ହାର୍ବର’ ସୁରକ୍ଷା ପ୍ରତ୍ୟାହାର ପାଇଁ ସୁପାରିଶ କରାଯିବ। ଏହି ସୁରକ୍ଷା ହଟିଗଲେ ସୋସିଆଲ୍ ମିଡିଆ କମ୍ପାନୀର ଅଧିକାରୀଙ୍କ ବିରୋଧରେ ସିଧାସଳଖ ଏଫ୍‌ଆଇଆର୍‌ ରୁଜୁ କରିବାର ଆଇନଗତ ବାଟ ଖୋଲିଯିବ। ଏହାପୂର୍ବରୁ ମେଟା ଏହାକୁ “ଟେକ୍ନିକାଲ୍ ଗ୍ଲିଚ୍” ବୋଲି କହି କ୍ଷମା ମାଗିଥିଲେ ମଧ୍ୟ, କେନ୍ଦ୍ର ସରକାର ଏହି ସ୍ପଷ୍ଟୀକରଣକୁ ସନ୍ତୋଷଜନକ ବୋଲି ମାନିନଥିଲେ। ସରକାରଙ୍କ ମତରେ, ଯଦି ଏହା ପ୍ରକୃତରେ ଏକ ତ୍ରୁଟି ଥିଲା, ତେବେ ମେଟାକୁ ନିଜର ପ୍ରଯୁକ୍ତିଗତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଚିତ୍।

ଏହା ସହିତ, ଇନଷ୍ଟାଗ୍ରାମରେ ଶିଶୁ ଯୌନ ନିର୍ଯାତନା ସମ୍ପର୍କିତ ସାମଗ୍ରୀ (CSAM) ଥିବା ବିଜ୍ଞାପନ ପ୍ରସାରଣକୁ ନେଇ ମଧ୍ୟ ମେଟା ସହ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ କମିଟି କଡ଼ା ସତର୍କବାଣୀ ଦେଇଛି। ଗୁଗୁଲ୍, ୟୁଟ୍ୟୁବ୍, ଏକ୍ସ, ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ ଓ ସ୍ନାପଚ୍ୟାଟ୍‌କୁ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ନିୟମ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ନଚେତ୍ ସମ୍ପୃକ୍ତ ପ୍ଲାଟଫର୍ମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କମିଟି ଚେତାବନୀ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories