ଆଉ ନାହାନ୍ତି ବଲିଓଡ଼ ଜଗତର ବରିଷ୍ଠ ଅଭିନେତା ପ୍ରଦୀପ ରାୱତ! ‘ମହାଭାରତ’ର ଅଶ୍ୱତ୍ଥାମାରୁ ‘ଗଜିନି’ରେ ଛାଡ଼ିଛନ୍ତି ନିଜର ଛାପ
ନୂଆଦିଲ୍ଲୀ: ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଅଭିନେତା ପ୍ରଦୀପ ରାୱତଙ୍କ ପରଲୋକ ହୋଇଛି। ୭୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତା ଯଶପାଲ ଶର୍ମା ସୋସିଆଲ ମିଡିଆରେ ତାଙ୍କ ବିୟୋଗର ଖବର ସେୟାର କରିଛନ୍ତି। ସୂଚନା ଅନୁସାରେ, ପ୍ରଦୀପ ରାୱତ ଦୀର୍ଘ ଦିନ ଧରି ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର)ରେ ପୀଡ଼ିତ ଥିଲେ। ପ୍ରଥମେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ପରେ ଅନ୍ୟ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।
ପ୍ରଦୀପ ରାୱତ ବି.ଆର୍. ଚୋପ୍ରାଙ୍କ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଅଶ୍ୱତ୍ଥାମା ଭୂମିକାରେ ଅଭିନୟ କରି ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ ସେ ‘ଐତବାର’, ‘ଅଗ୍ନିପଥ’, ‘ପଥର କେ ଫୁଲ’, ‘କୋଏଲା’, ‘ସରଫରୋଶ’ ଏବଂ ‘ଲଗାନ’ ଭଳି ଅନେକ ସଫଳ ହିନ୍ଦୀ ଚଳଚ୍ଚିତ୍ରରେ ନଜର ଆସିଥିଲେ। ତେବେ ଆମୀର ଖାନଙ୍କ ଅଭିନୀତ ‘ଗଜିନି’ ଫିଲ୍ମରେ ତାଙ୍କ ଭୟଙ୍କର ଖଳନାୟକ ଚରିତ୍ର ତାଙ୍କୁ ଦେଶବ୍ୟାପୀ ପରିଚିତ କରାଇଥିଲା। ତାଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲା।
ହିନ୍ଦୀ ସିନେମା ବ୍ୟତୀତ ପ୍ରଦୀପ ରାୱତ ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟଲମ ଫିଲ୍ମରେ ମଧ୍ୟ ସଫଳତାର ସହ ଅଭିନୟ କରିଥିଲେ। ସେ ଅଧିକାଂଶ ଚଳଚ୍ଚିତ୍ରରେ ଶକ୍ତିଶାଳୀ ଖଳନାୟକ ଭୂମିକା ପାଇଁ ପରିଚିତ ଥିଲେ। ଓଡ଼ିଆ ସିନେମା ‘ଏସିପି ରଣବୀର’ରେ ମଧ୍ୟ ସେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। ତାଙ୍କ ବିୟୋଗରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

