Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୮୮ କୋଟି ଠକେଇ ମାମଲାର ପର୍ଦ୍ଦାଫାଶ! UAEରୁ ଫେରାର ଅଭିଯୁକ୍ତା ବିଶାଖା ରାଠୋଡ଼କୁ ଅଣାଗଲା ଭାରତ

ନୂଆଦିଲ୍ଲୀ: ୮୮ କୋଟି ଟଙ୍କାର ବହୁଚର୍ଚ୍ଚିତ ନିବେଶ ଠକେଇ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ବଡ଼ ସଫଳତା ହାସଲ କରିଛି। ବିଦେଶ ମନ୍ତ୍ରଣାଳୟ (MEA), ଗୃହ ମନ୍ତ୍ରଣାଳୟ (MHA) ଏବଂ ଇଣ୍ଟରପୋଲର ସହଯୋଗରେ ସଂଯୁକ୍ତ ଆରବ ଏମିରେଟ୍ସ (UAE)ରୁ ଫେରାର ଅଭିଯୁକ୍ତା ବିଶାଖା ରାଠୋଡ଼ଙ୍କୁ ଭାରତକୁ ଅଣାଯାଇଛି। ତାଙ୍କ ବିରୋଧରେ ଇଣ୍ଟରପୋଲ ମାଧ୍ୟମରେ ‘ରେଡ୍ ନୋଟିସ୍’ ଜାରି କରାଯାଇଥିଲା।

ତଦନ୍ତ ଅନୁସାରେ, ବିଶାଖା ରାଠୋଡ଼ ଏବଂ ତାଙ୍କ ସ୍ୱାମୀ ଅବିନାଶ ରାଠୋଡ଼ ଅନେକ ନିବେଶକଙ୍କୁ ପ୍ରତିମାସ ନିଶ୍ଚିତ ଲାଭ ମିଳିବ ବୋଲି ପ୍ରଲୋଭନ ଦେଖାଇ ବିଭିନ୍ନ ଯୋଜନାରେ ଟଙ୍କା ନିବେଶ କରାଇଥିଲେ। ପରେ ସେହି ଅର୍ଥକୁ ହଡ଼ପ କରି ବିଭିନ୍ନ ବ୍ୟାଙ୍କ ଓ ଡିମାଟ୍ ଆକାଉଣ୍ଟ ମାଧ୍ୟମରେ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଅଭିଯୋଗ ରହିଛି। ଅଗଷ୍ଟ ୩ରେ ବିଶାଖା ରାଠୋଡ଼ ପୁଣେରେ ପହଞ୍ଚିବା ପରେ ମହାରାଷ୍ଟ୍ର ପୁଲିସ ତାଙ୍କୁ ଗିରଫ କରିଛି। ବର୍ତ୍ତମାନ ମାମଲାର ଅଧିକ ତଦନ୍ତ ଚାଲିଛି।

ଏହାପୂର୍ବରୁ ଜୁନ୍ ୪, ୨୦୨୬ରେ ଅବିନାଶ ଓ ବିଶାଖା ରାଠୋଡ଼ଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଥିଲା। ଏହା ପରେ UAE କର୍ତ୍ତୃପକ୍ଷ ଅବିନାଶ ରାଠୋଡ଼ଙ୍କୁ ଗିରଫ କରିଥିଲେ। ଜୁଲାଇ ୨୩ରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା। ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ପୁଣେ ପୁଲିସର ଆର୍ଥିକ ଅପରାଧ ଶାଖା (EOW) ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲା। କୋର୍ଟ ତାଙ୍କୁ ୧୦ ଦିନିଆ ପୁଲିସ ହେପାଜତକୁ ପଠାଇଥିଲେ। ଅବିନାଶ ରାଠୋଡ଼ଙ୍କୁ ଏହି ୮୮ କୋଟି ଟଙ୍କାର ଠକେଇର ମୁଖ୍ୟ ସୂତ୍ରଧର ବୋଲି ତଦନ୍ତକାରୀ ସଂସ୍ଥା ମନେ କରୁଛି।

CBI ଇଣ୍ଟରପୋଲ ପାଇଁ ଭାରତର ନ୍ୟାସନାଲ୍ ସେଣ୍ଟ୍ରାଲ୍ ବ୍ୟୁରୋ ଭାବେ କାର୍ଯ୍ୟ କରିଥାଏ ଏବଂ ‘ଭାରତପୋଲ୍’ ବ୍ୟବସ୍ଥା ମାଧ୍ୟମରେ ଦେଶର ବିଭିନ୍ନ ତଦନ୍ତକାରୀ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ଆନ୍ତର୍ଜାତୀୟ ସହଯୋଗ ସୁନିଶ୍ଚିତ କରିଥାଏ। କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ, ୨୦୧୯ରୁ ୨୦୨୬ ଜୁଲାଇ ପର୍ଯ୍ୟନ୍ତ ୩୬ଟି ଦେଶରୁ ମୋଟ ୨୭୪ ଜଣ ଫେରାର ଅପରାଧୀଙ୍କୁ ଭାରତକୁ ଫେରାଇ ଅଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories