ନିଜ ଲାଇଫ୍ ଜ୍ୟାକେଟ୍ ଦେଇ ବଞ୍ଚାଇଲେ ଚାଷୀଙ୍କ ଜୀବନ! କେରଳର ସାହସୀ ଉଦ୍ଧାରକର୍ମୀ ରାଜେଶଙ୍କୁ ଝୁରୁଛି ଦେଶ
କେରଳ: କେରଳରେ ଲଗାଣ ବର୍ଷା ଓ ବନ୍ୟା ମଧ୍ୟରେ ମାନବିକତା ଓ ସାହସର ଏକ ଅସାଧାରଣ କାହାଣୀ ସାମ୍ନାକୁ ଆସିଛି। ତିରୁବନନ୍ତପୁରମର ୩୬ ବର୍ଷୀୟ ରାଜେଶ ନାମକ ଜଣେ ସ୍ୱିମିଂ ଓ ରାପେଲିଂ ପ୍ରଶିକ୍ଷକ ବନ୍ୟାରେ ଫସିଥିବା ଜଣେ ଚାଷୀଙ୍କୁ ଉଦ୍ଧାର କରିବା ବେଳେ ନିଜ ଜୀବନ ବଳିଦାନ ଦେଇଛନ୍ତି। କନ୍ନୁର ଜିଲ୍ଲାର ମିନ୍ଥୁଲ୍ଲି ଅଞ୍ଚଳରେ ବନ୍ୟାରେ ଫସିଥିବା ୬୧ ବର୍ଷୀୟ ଚାଷୀ ବେନିଙ୍କୁ ସୁରକ୍ଷିତ ଭାବେ ବଞ୍ଚାଇବା ପାଇଁ ରାଜେଶ ନିଜ ପିନ୍ଧିଥିବା ଲାଇଫ୍ ଜ୍ୟାକେଟ୍ ଖୋଲି ତାଙ୍କୁ ପିନ୍ଧାଇ ଦେଇଥିଲେ। କିନ୍ତୁ ଫେରିବା ବେଳେ ପ୍ରବଳ ସ୍ରୋତରେ ସେ ଭାସିଯାଇଥିଲେ। ତିନି ଦିନ ଧରି ଚାଲିଥିବା ଖୋଜାଖୋଜି ପରେ ମଙ୍ଗଳବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁସାରେ, ଅଗଷ୍ଟ ୧ରୁ କେରଳରେ ହୋଇଥିବା ଅତିବର୍ଷା ଯୋଗୁଁ କନ୍ନୁର ଜିଲ୍ଲାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀ ବେନି ନିଜ କଫି ବଗିଚାକୁ ଯାଇଥିବା ବେଳେ ଏକ ଦ୍ୱୀପସଦୃଶ ସ୍ଥାନରେ ଫସି ଯାଇଥିଲେ। ଖବର ପାଇ ରାଜେଶ ଓ ତାଙ୍କର ଦୁଇ ସହଯୋଗୀ ଶିବିନ ଏବଂ ଜିଥିନ ନଦୀ ପାର କରି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ବେନିଙ୍କୁ ଫେରାଇ ଆଣୁଥିବା ବେଳେ ସେ ପାଣିରେ ସଂଘର୍ଷ କରୁଥିବା ଦେଖି ରାଜେଶ ନିଜ ଲାଇଫ୍ ଜ୍ୟାକେଟ୍ ତାଙ୍କୁ ପିନ୍ଧାଇ ଦେଇଥିଲେ। ସୁରକ୍ଷା ଦଉଡ଼ି ଧରି ଫେରୁଥିବା ବେଳେ କୂଳ ନିକଟରେ ତାଙ୍କ ହାତ ଖସିଯାଇଥିଲା ଏବଂ ସେ ପ୍ରବଳ ସ୍ରୋତରେ ନିଖୋଜ ହୋଇଯାଇଥିଲେ।
ରାଜେଶ କେବଳ ଏହି ଅଭିଯାନରେ ନୁହେଁ, ୨୦୧୮ କେରଳ ବନ୍ୟା ଓ ୨୦୨୪ ୱାୟନାଡ଼ ଭୂସ୍ଖଳନ ସମୟରେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭାବେ ଭାଗ ନେଇଥିଲେ। ସେ ଜଣେ ଦକ୍ଷ ସନ୍ତରଣକାରୀ ହେବା ସହ ‘ଆଡଭେଞ୍ଚର ଡିଜାଷ୍ଟର ସୋସାଇଟି’ର ସଦସ୍ୟ ଥିଲେ ଏବଂ ଜଳ ଉଦ୍ଧାର ଓ ରୋପ୍ ରେସ୍କ୍ୟୁ ପ୍ରଶିକ୍ଷଣ ମଧ୍ୟ ଦେଉଥିଲେ। ତାଙ୍କ ବଳିଦାନକୁ ନେଇ କେରଳ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବିଭିନ୍ନ ରାଜନୈତିକ ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜେଶଙ୍କ ଏହି ନିଷ୍କାମ ବଳିଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ଏବେ ସୁଦ୍ଧା କେରଳରେ ବର୍ଷାଜନିତ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାରରୁ ଅଧିକ ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

