ତ୍ରିରଙ୍ଗାକୁ ଓଲଟା ଧରି ବିବାଦରେ ମେହବୁବା ମୁଫତି; ଆଇନଗତ ପଦକ୍ଷେପ ନେଇ ଦାବି ଜୋରଦାର
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଏକ ନୂଆ ବିବାଦରେ ଫସିଛନ୍ତି । ଅନୁଚ୍ଛେଦ ‘୩୭୦ ଓ ୩୫ଏ’ ରଦ୍ଦକୁ ବିରୋଧ କରି ଆୟୋଜିତ ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ସେ ଜାତୀୟ ପତାକାକୁ ଓଲଟା ଧରିଥିବା ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଉଠିଛି।
ସୂଚନା ଅନୁସାରେ, ପ୍ରତିବାଦ ସମୟରେ ମେହବୁବା ମୁଫତି ଗୋଟିଏ ହାତରେ ଜମ୍ମୁ-କାଶ୍ମୀରର ପୁରୁଣା ପତାକା ଏବଂ ଅନ୍ୟ ହାତରେ ତ୍ରିରଙ୍ଗା ଧରିଥିଲେ। କିନ୍ତୁ ତ୍ରିରଙ୍ଗାରେ ଉପରେ ରହିବାକୁ ଥିବା କେଶରିଆ ରଙ୍ଗ ପରିବର୍ତ୍ତେ ସବୁଜ ରଙ୍ଗ ଉପରେ ଏବଂ କେଶରିଆ ତଳେ ଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଅନେକେ ଏହାକୁ ପତାକା ସଂହିତାର ଉଲ୍ଲଙ୍ଘନ ବୋଲି ଦାବି କରୁଛନ୍ତି। ତେବେ ଏହା ଭୁଲବଶତଃ ଘଟିଥିଲା କି ନା ଇଚ୍ଛାକୃତ, ସେନେଇ ମୁଫତିଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଆସିନାହିଁ।
ଏପଟେ ଗଣମାଧ୍ୟମର କିଛି ରିପୋର୍ଟରେ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ନେଇ ବିଚାର କରାଯାଉଥିବା କୁହାଯାଇଛି। ଏହାସହ ଜମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି ଯେ, ସର୍ବସାଧାରଣ ସ୍ଥାନରେ ପ୍ରତିବାଦ କିମ୍ବା ଧାରଣା ପୂର୍ବରୁ ଅନୁମତି ନେବା ଆବଶ୍ୟକ। ନିୟମ ଭଙ୍ଗ କିମ୍ବା ଶାନ୍ତିଭଙ୍ଗ ଘଟିଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି। ବର୍ତ୍ତମାନ ଏହି ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

