Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରପୃଷ୍ଠରେ ଧକ୍କା ଦେଲା ସ୍ପେସ୍-ଏକ୍ସ ରକେଟ୍!୨୦ରୁ ୩୦ ମିଟର ଗର୍ତ୍ତ ହୋଇଥିବା ଅନୁମାନ

ନୂଆଦିଲ୍ଲୀ : ପ୍ରାୟ ୧୯ ମାସ ଧରି ମହାକାଶରେ ଘୂରି ବୁଲୁଥିବା ସ୍ପେସଏକ୍ସର ଫାଲକନ-୯ ରକେଟ୍‌ର ଏକ ଅଂଶ ଶେଷରେ ଚନ୍ଦ୍ରପୃଷ୍ଠରେ ଧକ୍କା ହୋଇଛି । ଭାରତୀୟ ସମୟ ଦିନ ପ୍ରାୟ ୧୨ଟା ୦୫ ମିନିଟ୍‌ରେ ଏହା ଚନ୍ଦ୍ରର ଆଇନଷ୍ଟାଇନ କ୍ରେଟର ନିକଟରେ ଖସିପଡ଼ିଥିବା ସୂଚନା ମିଳିଛି। ପ୍ରାରମ୍ଭିକ ଆକଳନ ଅନୁସାରେ, ଏହି ଧକ୍କା ଯୋଗୁଁ ଚନ୍ଦ୍ରପୃଷ୍ଠରେ ପ୍ରାୟ ୨୦ରୁ ୩୦ ମିଟର ବ୍ୟାସର ଏକ ନୂଆ ଗର୍ତ୍ତ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ତେବେ ଏହାର ସ୍ପଷ୍ଟ ତଥ୍ୟ ପାଇଁ ବୈଜ୍ଞାନିକମାନେ ଅର୍ବିଟର ତଥ୍ୟକୁ ବିଶ୍ଳେଷଣ କରୁଛନ୍ତି।

ସୂଚନା ଅନୁସାରେ, ବ୍ଲୁ ଘୋଷ୍ଟ ମିଶନ୍ ପ୍ରକ୍ଷେପଣ ପରେ ଏହି ରକେଟ୍‌ର ଉପର ଅଂଶ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଅନିୟନ୍ତ୍ରିତ ଭାବେ ମହାକାଶରେ ପରିଭ୍ରମଣ କରୁଥିଲା। ବୈଜ୍ଞାନିକମାନେ ଗତ କିଛି ସପ୍ତାହ ଧରି ଏହାର ଗତିପଥ ଉପରେ ନଜର ରଖିଥିଲେ। ଧକ୍କା ଲାଗିବାର କିଛି ସମୟ ପୂର୍ବରୁ ମଧ୍ୟ ଏହାର ଅବସ୍ଥାନ ଓ ଗତିକୁ ସଠିକ୍ ଭାବେ ଟ୍ରାକ୍ କରାଯାଇଥିଲା। ଯଦିଓ ଚନ୍ଦ୍ରରେ ବାୟୁମଣ୍ଡଳ ନଥିବାରୁ ଏପରି ଧକ୍କାର କୌଣସି ପରିବେଶୀୟ ପ୍ରଭାବ ପୃଥିବୀ ପରି ହୁଏନାହିଁ, ତଥାପି ଏହା ଚନ୍ଦ୍ରପୃଷ୍ଠରେ ନୂଆ ଗର୍ତ୍ତ ସୃଷ୍ଟି କରିଥାଏ।

ଏହି ଘଟଣା ଉପରେ ବିଶ୍ୱର ବିଭିନ୍ନ ମହାକାଶ ସଂସ୍ଥା ଓ ବୈଜ୍ଞାନିକ ଦଳ ନଜର ରଖିଛନ୍ତି। ଆଗାମୀ ଦିନରେ ଚନ୍ଦ୍ରକୁ ପରିକ୍ରମା କରୁଥିବା ଅର୍ବିଟରମାନଙ୍କ ଦ୍ୱାରା ଏହି ସ୍ଥାନର ଉଚ୍ଚ-ରେଜୋଲୁସନ୍ ଛବି ସଂଗ୍ରହ କରାଯିବ। ସେହି ଛବି ଆଧାରରେ ଧକ୍କାର ପ୍ରକୃତ ପ୍ରଭାବ, ଗର୍ତ୍ତର ଆକାର ଏବଂ ଚନ୍ଦ୍ରପୃଷ୍ଠରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ। ଏହି ଘଟଣା ପୁଣିଥରେ ମହାକାଶରେ ପରିତ୍ୟକ୍ତ ରକେଟ୍ ଓ ଅନ୍ୟାନ୍ୟ ଅବଶିଷ୍ଟ ବସ୍ତୁର ପରିଚାଳନାକୁ ନେଇ ବିଶ୍ୱସ୍ତରରେ ଚର୍ଚ୍ଚାକୁ ଜୋରଦାର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories