ପିଏମ୍ ମୋଦିଙ୍କ ପୋଷ୍ଟ ହଟାଇବାକୁ ନେଇ କ୍ଷମା ମାଗିଲା ‘ମେଟା’; ସଂସଦୀୟ କମିଟି ସାମ୍ନାରେ ବଡ଼ ସ୍ୱୀକାରୋକ୍ତି
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟସ୍ଆପ୍ ର ମୂଳ କମ୍ପାନୀ ମେଟା ଭାରତର ସଂସଦୀୟ ସ୍ଥାୟୀ କମିଟି ସମ୍ମୁଖରେ ନିଜର କାର୍ଯ୍ୟପ୍ରଣାଳୀକୁ ନେଇ କ୍ଷମା ପ୍ରାର୍ଥନା କରିଛି। ସୂତ୍ର ଅନୁସାରେ, ଶିଶୁଙ୍କ ଯୌନ ଶୋଷଣ ସମ୍ବନ୍ଧୀୟ ବିଷୟବସ୍ତୁ (CSEAM), ଡିପ୍ଫେକ୍ କଣ୍ଟେଣ୍ଟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ପୋଷ୍ଟ ଅସ୍ଥାୟୀ ଭାବେ ହଟାଇବା ଭଳି ଘଟଣାକୁ ନେଇ ମେଟା ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। କମ୍ପାନୀ ପ୍ରତିନିଧିମାନେ କହିଛନ୍ତି ଯେ, ଏହା ଏକ ପ୍ରଯୁକ୍ତିଗତ ତ୍ରୁଟି ଥିଲା ଏବଂ ଭବିଷ୍ୟତରେ ଏପରି ଭୁଲ ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ନିଆଯିବ।
ବୈଠକରେ ମେଟା ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକାରୋକ୍ତି ହୋଇଥିବା ସୂଚନା ମିଳିଛି। କମ୍ପାନୀ ଅଧିକାରୀମାନେ କହିଛନ୍ତି ଯେ, କିଛି ବିଶେଷ ପ୍ରକାରର କଣ୍ଟେଣ୍ଟକୁ ଅଧିକ ପ୍ରଚାର କରିବା ପାଇଁ ଅର୍ଥ ବ୍ୟୟ କରାଯାଇଥିଲା। ଯଦିଓ କେଉଁ ପ୍ରକାରର କଣ୍ଟେଣ୍ଟ ସମ୍ପର୍କରେ ସେମାନେ ସ୍ପଷ୍ଟ କରିନାହାନ୍ତି, ତଥାପି ଏହି ବିଷୟକୁ ନେଇ ସଂସଦୀୟ କମିଟି ଗୁରୁତ୍ୱର ସହ ବିଚାର କରୁଛି। ସୂଚନା ପ୍ରଯୁକ୍ତି ବିଷୟକ ସଂସଦୀୟ ସ୍ଥାୟୀ କମିଟି ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ବିଷୟବସ୍ତୁ ଏବଂ ମହିଳାଙ୍କୁ ଅପମାନିତ କରୁଥିବା କଣ୍ଟେଣ୍ଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଜୋର ଦେଇଛି।
ଏହି ବିବାଦର କେନ୍ଦ୍ରବିନ୍ଦୁ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ, ଯାହାକୁ ଗତ ଜୁଲାଇ ୨୩ରେ ମେଟାର ପ୍ଲାଟଫର୍ମରୁ କିଛି ସମୟ ପାଇଁ ହଟାଇ ଦିଆଯାଇଥିଲା। ପରେ କମ୍ପାନୀ ଏହାକୁ ପୁନଃସ୍ଥାପନ କରି ପ୍ରଯୁକ୍ତିଗତ ତ୍ରୁଟି ବୋଲି ସଫେଇ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ସେହି ବ୍ୟାଖ୍ୟାକୁ ଯଥେଷ୍ଟ ବୋଲି ମାନିନଥିଲେ। ବୁଧବାର ମେଟାର ଗ୍ଲୋବାଲ୍ ଅଫେୟାର୍ସ ଟିମ୍ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା କରିଥିଲେ। ସରକାର ପକ୍ଷରୁ ପ୍ରମୁଖ ବ୍ୟକ୍ତିଙ୍କ ପୋଷ୍ଟ ହଟାଇବା ଏବଂ ସୋସିଆଲ ମିଡିଆରେ ଆପତ୍ତିଜନକ ବିଷୟବସ୍ତୁ ନିୟନ୍ତ୍ରଣରେ ହୋଇଥିବା ତ୍ରୁଟିକୁ ନେଇ ଗଭୀର ଚିନ୍ତା ପ୍ରକାଶ କରାଯାଇଛି।

