ଗର୍ଭବତୀ ଝିଅକୁ ଚମ୍ବଲ ନଦୀରେ ବୁଡ଼ାଇ ହତ୍ୟା! ପରେ ପାଦ ଛୁଇଁ କ୍ଷମା ମାଗିଲା ବାପା
ଉତ୍ତର ପ୍ରଦେଶ: ଉତ୍ତରପ୍ରଦେଶର ଆଗ୍ରାରୁ ଆସିଛି ଏକ ହୃଦୟବିଦାରକ ଏବଂ ଲୋମହର୍ଷଣକାରୀ ଘଟଣା। ପରିବାରର ସମ୍ମାନ ଓ ସାମାଜିକ ଲଜ୍ଜାର ଦ୍ୱାହି ଦେଇ ଜଣେ ବାପା ନିଜର ୧୮ ବର୍ଷୀୟା ଗର୍ଭବତୀ ଝିଅକୁ ଚମ୍ବଲ ନଦୀରେ ବୁଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଗ୍ରାର ବାସୌନୀ ଅଞ୍ଚଳରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପୁଲିସ ତଦନ୍ତରେ ସାମ୍ନାକୁ ଆସିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ବାପା ନିଜ ଜ୍ୱାଇଁଙ୍କ ସହ ମିଶି ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ।
ପୁଲିସ କହିଛି, ଦିଲ୍ଲୀରେ ରହୁଥିବା ଏହି ପରିବାର ମୂଳତଃ ଆଗ୍ରାର ବାସିନ୍ଦା। ଯୁବତୀ ଜଣକ ଚାରି ମାସର ଗର୍ଭବତୀ ଥିବା ଜାଣିବା ପରେ ବାପା ସାମାଜିକ ବଦନାମର ଭୟରେ ତାଙ୍କୁ ଗର୍ଭପାତ କରାଇବା ବାହାନାରେ ଆଗ୍ରାକୁ ନେଇଥିଲେ। ପରେ ଚମ୍ବଲ ନଦୀ କୂଳକୁ ନେଇ ଆତ୍ମହତ୍ୟା କରିବାକୁ ଚାପ ପକାଇଥିଲେ। ଝିଅ ରାଜି ନହେବାରୁ ସେ ନିଜେ ତାଙ୍କୁ ନଦୀ ପାଣିରେ ବୁଡ଼ାଇ ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ହତ୍ୟା ପରେ ଅଭିଯୁକ୍ତ ବାପା ମୃତଦେହର ପାଦ ଛୁଇଁ କ୍ଷମା ମାଗିଥିବା ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଛି।
ଘଟଣାକୁ ଆତ୍ମହତ୍ୟା ବୋଲି ପ୍ରମାଣ କରିବା ପାଇଁ ଯୁବତୀଙ୍କ ଭିଣୋଇ ମୋବାଇଲ୍ରେ ଫଟୋ ଓ ଭିଡିଓ ରେକର୍ଡ କରିଥିବା ଅଭିଯୋଗ ରହିଛି। ପରେ ଅଭିଯୁକ୍ତ ବାପା ଗାଁକୁ ଫେରି ଝିଅ ଆତ୍ମହତ୍ୟା କରିଥିବା କହି ଲୋକଙ୍କୁ ବିଶ୍ୱାସ କରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସର ଜେରା ବେଳେ ଅଭିଯୁକ୍ତ ବାପା ନିଜ ଅପରାଧ ସ୍ୱୀକାର କରିଥିବା ବେଳେ ତାଙ୍କ ସହ ଯୁବତୀଙ୍କ ଭିଣୋଇଙ୍କୁ ମଧ୍ୟ ଗିରଫ କରାଯାଇଛି। ଚମ୍ବଲ ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍ ଜାରି ରହିଛି।

