ପ୍ରେମିକାଙ୍କ ଫୋନ୍ ବ୍ୟସ୍ତ ଥିବାରୁ ରାଗିଗଲେ ପ୍ରେମିକ! ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି କାଟିଦେଲେ ପୁରା ଗାଁର ବିଦ୍ୟୁତ୍ ସଂଯୋଗ
ସୋସିଆଲ୍ ମିଡିଆରେ ଏକ ଭିଡିଓ ଏବେ ଜୋରଦାର ଭାବେ ଭାଇରାଲ୍ ହେଉଛି। ଭିଡିଓରେ ଜଣେ ଯୁବକ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ି ବଡ଼ ପ୍ଲାୟର୍ରେ ତାର କାଟୁଥିବା ଦେଖାଯାଉଛନ୍ତି । ସୂଚନା ଅନୁସାରେ, ପ୍ରେମିକାଙ୍କ ଫୋନ୍ ବାରମ୍ବାର ବ୍ୟସ୍ତ ଆସୁଥିବାରୁ ସେ ରାଗିଯାଇ ସମଗ୍ର ଗାଁର ବିଦ୍ୟୁତ୍ ସଂଯୋଗ କାଟିଦେଇଥିବା ଅଭିଯୋଗ ହୋଇଛି।
ତେବେ ଏହି ଭିଡିଓର ସତ୍ୟତା ସ୍ୱାଧୀନ ଭାବେ ପ୍ରମାଣିତ ହୋଇନଥିଲେ ମଧ୍ୟ, ଏହାକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। କେହି ଏହାକୁ ‘ପ୍ରେମର ପାଗଳାମି’ ବୋଲି କହୁଥିବା ବେଳେ, ଆଉ କେହି ମଜାଳିଆ ଢଙ୍ଗରେ ଲେଖିଛନ୍ତି, “ପ୍ରେମିକମାନେ ସାଧାରଣତଃ ନିଜ ଶିରା କାଟନ୍ତି, ଏହି ଯୁବକ ତ ପୁରା ଗାଁର ବିଦ୍ୟୁତ୍ ଲାଇନ୍ କାଟିଦେଲେ।” ଅନେକ ବ୍ୟବହାରକାରୀ ଏହାକୁ ଅତ୍ୟନ୍ତ ବିପଦଜନକ କାର୍ଯ୍ୟ ବୋଲି ମଧ୍ୟ ମତ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଏଭଳି ଘଟଣା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଥିଲା। ୨୦୨୨ ମସିହାରେ ବିହାରର ପୁର୍ଣ୍ଣିଆ ଜିଲ୍ଲାରେ ଜଣେ ଯୁବକ ପ୍ରତିଦିନ ସନ୍ଧ୍ୟାରେ ବିଦ୍ୟୁତ୍ କାଟି ଅନ୍ଧାରରେ ପ୍ରେମିକାଙ୍କ ସହ ଦେଖା କରୁଥିବା ଘଟଣା ପ୍ରକାଶ ପାଇଥିଲା। ସେତେବେଳେ ଗ୍ରାମବାସୀ ଦୀର୍ଘ ସମୟ ଧରି ବିଦ୍ୟୁତ୍ ବିଭ୍ରାଟରେ ହଇରାଣ ହେବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା।

