ଯୁବପିଢ଼ିଙ୍କ ସହ ସିଧାସଳଖ ସଂଯୋଗ ବଢ଼ାଇବାକୁ ରାହୁଲ ଗାନ୍ଧୀଙ୍କ ଉଦ୍ୟମ ଇନଷ୍ଟାଗ୍ରାମରେ ଆରମ୍ଭ କଲେ ‘ଆସ୍କ ମି ଏନିଥିଂ’ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଯୁବପିଢ଼ିଙ୍କ ସହ ସିଧାସଳଖ ସଂଯୋଗ ବଢ଼ାଇବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଂ’ (Ask Me Anything) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥିରେ ସେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ ଜଣେ ବ୍ୟବହାରକାରୀ ‘ଆପଣ କ’ଣ ବ୍ୟାଟମ୍ୟାନ୍?’ ବୋଲି ପଚାରିବାରୁ ରାହୁଲ ମଜାଳିଆ ଢଙ୍ଗରେ କହିଥିଲେ, “ଏତିକି କହିବି, ଆଜି ପର୍ଯ୍ୟନ୍ତ କେହି ମୋତେ ଓ ବ୍ୟାଟମ୍ୟାନ୍କୁ ଏକାଠି ଗୋଟିଏ ଘରେ ଦେଖିନାହାନ୍ତି।”ତାଙ୍କର ଏହି ଜବାବ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି।
ଆଲୋଚନା ବେଳେ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଦେଶର ଶିକ୍ଷା ବ୍ୟବସ୍ଥା ଗୁରୁତର ସଙ୍କଟ ମଧ୍ୟରେ ରହିଛି। ଶିକ୍ଷା ବ୍ୟୟବହୁଳ ହେବା ସହ ଛାତ୍ରଛାତ୍ରୀଙ୍କ ଉପରେ ଅନାବଶ୍ୟକ ଚାପ ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଥିଲେ। କେନ୍ଦ୍ର ସରକାର, କଂଗ୍ରେସ ଶାସିତ ରାଜ୍ୟ କିମ୍ବା ଝାଡ଼ଖଣ୍ଡ ସରକାର—ସମସ୍ତେ ଛାତ୍ରଛାତ୍ରୀଙ୍କ ସମସ୍ୟା ଶୁଣି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଆବଶ୍ୟକ ବୋଲି ସେ କହିଥିଲେ। ଭାରତର ମହିଳାମାନଙ୍କ ସମ୍ପର୍କରେ ମଧ୍ୟ ସେ କହିଥିଲେ ଯେ, ସମାଜ, ଶିକ୍ଷା ଏବଂ କର୍ପୋରେଟ୍ କ୍ଷେତ୍ରରେ ସେମାନଙ୍କୁ ସମାନ ସୁଯୋଗ ମିଳିବା ଉଚିତ୍।
ଅନ୍ୟ ଏକ ପ୍ରଶ୍ନରେ ଭାଜପାର କେଉଁ ନେତାଙ୍କୁ ସେ ପସନ୍ଦ କରନ୍ତି ବୋଲି ପଚରାଯିବାରୁ ରାହୁଲ ଗାନ୍ଧୀ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନାମ ନେଇଥିଲେ। ସେ କହିଥିଲେ ଯେ, ଅମରିନ୍ଦର ସିଂହଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି ଏବଂ ସେ ସାମରିକ ଇତିହାସର ଜଣେ ଜ୍ଞାନୀ ବ୍ୟକ୍ତି। ଶିକ୍ଷା ବ୍ୟବସ୍ଥା ଚିନ୍ତାଶୀଳ ଯୁବପିଢ଼ି ସୃଷ୍ଟି କରୁଛି କି ନାହିଁ ବୋଲି ପଚରାଯିବାରୁ ସେ କହିଥିଲେ ଯେ, ବର୍ତ୍ତମାନର ବ୍ୟବସ୍ଥା ସ୍ୱାଧୀନ ଚିନ୍ତାଧାରାକୁ ଦୁର୍ବଳ କରୁଛି। ରାହୁଲ ଗାନ୍ଧୀଙ୍କ ଏହି ଇନଷ୍ଟାଗ୍ରାମ କାର୍ଯ୍ୟକ୍ରମକୁ ଯୁବପିଢ଼ିଙ୍କ ସହ ସଂଯୋଗ ବଢ଼ାଇବାର ଏକ ନୂଆ ପ୍ରୟାସ ବୋଲି ଦେଖାଯାଉଛି।

