ପଞ୍ଜାବ କଂଗ୍ରେସରେ ବଢ଼ିଲା ଗୋଷ୍ଠୀ କନ୍ଦଳ; ବୈଠକରେ ‘ଭୂପେଶ ବାଘେଲ ଫେରିଯାଅ’ ନାରା ଦେଲେ କର୍ମୀ
ପଞ୍ଜାବ: ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପୁଣିଥରେ ସାମ୍ନାକୁ ଆସିଛି। ୨୦୨୭ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଲୁଧିଆନାରେ ଆୟୋଜିତ ‘ହର ବୁଥ୍, କଂଗ୍ରେସ ମଜବୁତ’ କାର୍ଯ୍ୟକ୍ରମ ସମୟରେ ହଙ୍ଗାମା, ସ୍ଲୋଗାନବାଜି ଓ ଧସ୍ତାଧସ୍ତି ଘଟିଥିଲା। ରାଜ୍ୟ ପ୍ରଭାରୀ ‘ଭୂପେଶ ବାଘେଲ’ ଓ ପଞ୍ଜାବ କଂଗ୍ରେସ ସଭାପତି ‘ଅମରିନ୍ଦର ସିଂହ ରାଜା ୱାରିଂ’ ମଞ୍ଚରେ ଥିବାବେଳେ କିଛି କର୍ମୀ ‘ଭୂପେଶ ବାଘେଲ ଗୋ ବ୍ୟାକ୍’ ନାରା ଦେଇ ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧକାରୀଙ୍କ ମଧ୍ୟରୁ କେତେକ ‘Baghel Go Back’ ଲେଖା ଟି-ଶର୍ଟ ପିନ୍ଧିଥିବା ମଧ୍ୟ ଦେଖାଯାଇଥିଲା। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏବଂ ପୂର୍ବତନ ମନ୍ତ୍ରୀ ଭାରତ ଭୂଷଣ ଆଶୁଙ୍କ ସମର୍ଥନରେ ମଧ୍ୟ ସ୍ଲୋଗାନ ଶୁଣିବାକୁ ମିଳିଥିଲା।
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ‘ରାଜା ୱାରିଂ’ ବିରୋଧକାରୀଙ୍କୁ କାର୍ଯ୍ୟକ୍ରମ ସ୍ଥଳ ଛାଡ଼ିବାକୁ କହିଥିଲେ। ଏହାପରେ ତାଙ୍କ ସମର୍ଥକ ଓ ଭାରତ ଭୂଷଣ ଆଶୁଙ୍କ ସମର୍ଥକଙ୍କ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା। ଘଟଣା ପରେ ୱାରିଂ ବିରୋଧକାରୀଙ୍କୁ ‘ଆରଏସଏସ୍ର ସମର୍ଥକ’ ବୋଲି ବିବେଚନା କରିଥିଲେ। ଏହାର ପ୍ରତିବାଦ କରି ଆଶୁଙ୍କ ସମର୍ଥକମାନେ କହିଥିଲେ ଯେ, ସେମାନେ କଂଗ୍ରେସ କର୍ମୀ ଏବଂ କାହାଠାରୁ ନିଜ ପରିଚୟର ପ୍ରମାଣପତ୍ର ନେବାର ଆବଶ୍ୟକତା ନାହିଁ। ୱାରିଂ ଏହା ମଧ୍ୟ କହିଥିଲେ ଯେ, ବିପଦ ସମୟରେ ସେ ଅନେକ ନେତାଙ୍କ ପାଖରେ ଛିଡ଼ା ହୋଇଥିଲେ ଏବଂ କଂଗ୍ରେସ କୌଣସି ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ସଂଗଠନ ନୁହେଁ।
ଅନ୍ୟପଟେ ଭୂପେଶ ବାଘେଲ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦଳରେ ଶୃଙ୍ଖଳାଭଙ୍ଗ ପ୍ରତି କୌଣସି ପ୍ରକାର ସହନଶୀଳତା ରହିବ ନାହିଁ ଏବଂ ଏପରି କାର୍ଯ୍ୟରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ପଦକ୍ଷେପ ନିଆଯିବ। ବାଘେଲ ଅଭିଯୋଗ କରିଛନ୍ତି ଯେ, ଦଳ ବାହାରେ ଶତ୍ରୁ ଥିବା ସହ କଂଗ୍ରେସ ଭିତରେ ମଧ୍ୟ କିଛି ‘ସ୍ଲିପର ସେଲ୍’ ଓ ‘ଆଭ୍ୟନ୍ତରୀଣ ବିଘ୍ନକାରୀ’ ସକ୍ରିୟ ଅଛନ୍ତି। ସେ ଦାବି କରିଛନ୍ତି ଯେ, ପଞ୍ଜାବରେ ଦଳର ସାଙ୍ଗଠନିକ ଅଭିଯାନକୁ ଭଲ ସମର୍ଥନ ମିଳୁଛି ଏବଂ ୨୦୨୭ ନିର୍ବାଚନରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ। ଉଲ୍ଲେଖଯୋଗ୍ୟ, ଜୁଲାଇ ୧ରେ ଦଳ ଅମରିନ୍ଦର ସିଂହ ରାଜା ୱାରିଂଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଭାବେ ବଜାୟ ରଖିଥିବାବେଳେ ଚରଣଜିତ ସିଂହ ଚନ୍ନିଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ କରିଥିଲା। ସେହିଦିନଠାରୁ ଦଳ ମଧ୍ୟରେ ନେତୃତ୍ୱକୁ ନେଇ ଅସନ୍ତୋଷ ଜାରି ରହିଛି।

