ଦିଲ୍ଲୀରେ ଅନୁଷ୍ଠିତ ”ୱାର୍କିଂ ମେକାନିଜମ୍ ଫର୍ କନସଲଟେସନ୍ ଆଣ୍ଡ କୋ-ଅର୍ଡିନେସନ୍”(WMCC) ବୈଠକ! ଭାରତ-ଚୀନ ମଧ୍ୟରେ LAC ପରିସ୍ଥିତି ଓ ସୀମାନ୍ତ ନଦୀକୁ ନେଇ ଆଲୋଚନା
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ୩୬ତମ ୱାର୍କିଂ ମେକାନିଜମ୍ ଫର୍ କନସଲଟେସନ୍ ଆଣ୍ଡ କୋ-ଅର୍ଡିନେସନ୍ (WMCC) ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ଅରୁଣାଚଳ ପ୍ରଦେଶ ସଂଲଗ୍ନ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC)ର ବର୍ତ୍ତମାନ ସ୍ଥିତି ଏବଂ ସୀମାନ୍ତ ନଦୀଗୁଡ଼ିକର ତଥ୍ୟ ବିନିମୟକୁ ନେଇ ବିସ୍ତୃତ ଆଲୋଚନା ହୋଇଛି। ଭାରତ ପକ୍ଷରୁ ଯୁଗ୍ମ ସଚିବ (ପୂର୍ବ ଏସିଆ) ସୁଜିତ ଘୋଷ ଏବଂ ଚୀନ ପକ୍ଷରୁ ସୀମା ଓ ସାମୁଦ୍ରିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ହୋଉ ୟାନ୍କି ବୈଠକରେ ନେତୃତ୍ୱ ନେଇଥିଲେ।
ଉଭୟ ଦେଶ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ବର୍ତ୍ତମାନ ଚାଲୁଥିବା କୂଟନୈତିକ ଏବଂ ସାମରିକ ସଂଳାପକୁ ଜାରି ରଖିବାକୁ ସହମତି ପ୍ରକାଶ କରିଛନ୍ତି। WMCC, ସ୍ଥାନୀୟ କମାଣ୍ଡର ସ୍ତରୀୟ ବୈଠକ ଓ ଅନ୍ୟାନ୍ୟ ସ୍ଥାପିତ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ସୀମାରେ ଭୁଲ ବୁଝାମଣା କିମ୍ବା ଉତ୍ତେଜନାକୁ ଏଡ଼ାଇବା ଉପରେ ଜୋର ଦିଆଯାଇଛି। ସୀମା ନିର୍ଦ୍ଧାରଣ, ସୀମା ପରିଚାଳନା, ପ୍ରତିଷ୍ଠାନଗତ ସହଯୋଗ ଓ ସୀମାନ୍ତ ସହଯୋଗ ନେଇ ମଧ୍ୟ ମତ ବିନିମୟ ହୋଇଛି।
ବୈଠକରେ ଭାରତ ସୀମାନ୍ତ ନଦୀ ସମ୍ପର୍କିତ ଏକ୍ସପର୍ଟ ଲେଭେଲ୍ ମେକାନିଜମ୍ ର ବୈଠକ ଶୀଘ୍ର ଡାକିବାକୁ ଚୀନକୁ ଅନୁରୋଧ କରିଥିଲା। ବିଶେଷକରି ଉପରମୁଣ୍ଡରେ ଚୀନ କରୁଥିବା ପ୍ରକଳ୍ପ ସମ୍ପର୍କିତ ପ୍ରଯୁକ୍ତିଗତ ତଥ୍ୟ ସମୟମତେ ଭାଗ କରିବା ଉପରେ ଭାରତ ଗୁରୁତ୍ୱ ଦେଇଛି। ଏହି ଆଲୋଚନା ଭାରତ-ଚୀନ ସମ୍ପର୍କକୁ ସାମାନ୍ୟ କରିବା ପାଇଁ ଗତ କିଛି ମାସ ଧରି ଚାଲିଥିବା କୂଟନୈତିକ ପ୍ରୟାସର ଏକ ଅଂଶ। ୨୦୨୦ର ଗାଲୱାନ୍ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତାକୁ ଦୂର କରିବା ଦିଗରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।

