Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାବେରୀ ଜଳ ବିବାଦକୁ ନେଇ ବିଧାନସଭାରେ ଷ୍ଟାଲିନଙ୍କୁ କଡା ଜବାବ ଦେଲେ ସି. ଜୋସେଫ ବିଜୟ-କହିଲେ‘ଶସ୍ତା ରାଜନୀତି କରିବିନି’

ତାମିଲନାଡୁ: ତାମିଲନାଡୁ ବିଧାନସଭାରେ କାବେରୀ ଜଳ ବିବାଦ ଏବଂ ମେକେଦାତୁ ବନ୍ଧ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଓ ବିରୋଧୀ ଦଳନେତା ଉଦୟନିଧି ଷ୍ଟାଲିନଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। କର୍ଣ୍ଣାଟକ ସହ ସିଧାସଳଖ ଆଲୋଚନା କରିବା ନିଷ୍ପତ୍ତିକୁ ସମର୍ଥନ କରି ବିଜୟ କହିଛନ୍ତି, ତାମିଲନାଡୁର ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ପଡ଼ିଲେ ସେ ଅପମାନ ସହିବାକୁ ମଧ୍ୟ ପ୍ରସ୍ତୁତ। ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ ସେ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି।

ଉଦୟନିଧି ଷ୍ଟାଲିନ ମେକେଦାତୁ ବନ୍ଧ ବିରୋଧରେ ସମସ୍ତ ଦଳକୁ ନେଇ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଥିଲେ। ଏହାର ଜବାବରେ ବିଜୟ କହିଥିଲେ ଯେ, ଏଭଳି ବୈଠକର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି, ତାମିଲନାଡୁ ସରକାର କାବେରୀ ଜଳ ଅଧିକାର କିମ୍ବା ମେକେଦାତୁ ବନ୍ଧ ପ୍ରସଙ୍ଗରେ କେବେ ବି ସାଲିସ କରିବ ନାହିଁ। ପୂର୍ବରୁ ସର୍ବଦଳୀୟ ପ୍ରସ୍ତାବ ପାରିତ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ଆଭିମୁଖ୍ୟ ଜଣାଇ ଦିଆଯାଇଥିବା ସହ କେନ୍ଦ୍ର ସରକାରଙ୍କୁ ମେକେଦାତୁ ପ୍ରକଳ୍ପକୁ ଅନୁମତି ନ ଦେବାକୁ ଚିଠି ଲେଖାଯାଇଥିବା ସେ ସୂଚନା ଦେଇଥିଲେ।

ବିଜୟ କହିଛନ୍ତି, କାବେରୀ ପ୍ରସଙ୍ଗରେ ରାଜ୍ୟର ଆଇନଗତ ଲଢ଼େଇ ଜାରି ରହିବ ଏବଂ ସେହି ସହ କର୍ଣ୍ଣାଟକ ସହ ଆଲୋଚନାର ଦ୍ୱାର ମଧ୍ୟ ଖୋଲା ରହିବ। ଅତୀତର ଘଟଣା ଉଠାଇ ସେ ଶସ୍ତା ରାଜନୀତି କରିବାକୁ ଚାହୁଁନଥିବା ବୋଲି ସେ ସ୍ପଷ୍ଟ କରିଥିଲେ। ଅନ୍ୟପଟେ ଉଦୟନିଧି ଷ୍ଟାଲିନ କହିଥିଲେ, କର୍ଣ୍ଣାଟକ ସରକାର ଯେପରି ସର୍ବଦଳୀୟ ବୈଠକ କରିଛି, ସେହିପରି ତାମିଲନାଡୁ ସରକାର ମଧ୍ୟ ସମସ୍ତ ଦଳକୁ ଏକାଠି କରି ରାଜ୍ୟର ଏକତା ପ୍ରଦର୍ଶନ କରିବା ଉଚିତ। ଏହା ସହ ବିଜୟଙ୍କ କର୍ଣ୍ଣାଟକ ଗସ୍ତ ନେଇ ସରକାରର ଭିନ୍ନ ଭିନ୍ନ ବୟାନ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories