”ରାହୁଲଙ୍କ ହାତରୁ ଜୁସ୍ ପିଇ ଅନଶନ ଭଙ୍ଗ କରିବାକୁ ଚାହୁଁଥିଲି,କିନ୍ତୁ ସେ ଅଣଦେଖା କଲେ”: ସୋନମ ୱାଙ୍ଗଚୁକଙ୍କ ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା
ନୂଆଦିଲ୍ଲୀ: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କ ସମ୍ପ୍ରତିର ଅନଶନକୁ ନେଇ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଇଚ୍ଛା ଥିଲା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ହାତରୁ ଜୁସ୍ ପିଇ ୨୬ ଦିନିଆ ଅନଶନକୁ ଶେଷ କରିବା। ଏଥିପାଇଁ ତାଙ୍କ ପତ୍ନୀ ଗୀତାଞ୍ଜଳି ବହୁ ଚେଷ୍ଟା କରିଥିଲେ ମଧ୍ୟ ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୌଣସି ସକାରାତ୍ମକ ସହଯୋଗ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଏହା ପରେ କଂଗ୍ରେସ ସହ ଅନ୍ୟ ରାଜନୈତିକ ଦଳମାନଙ୍କ ପ୍ରତି ନିରାଶ ହୋଇଥିବା ସୋନମ କହିଛନ୍ତି।
ସୋନମ ୱାଙ୍ଗଚୁକ କହିଛନ୍ତି, ଜନ୍ତର-ମନ୍ତରରେ ଚାଲିଥିବା ତାଙ୍କ ଅନଶନ ଶେଷ କରାଇବା ପାଇଁ ରାହୁଲ ଗାନ୍ଧୀଙ୍କୁ ଆମନ୍ତ୍ରଣ ଦେବାକୁ ତାଙ୍କ ପତ୍ନୀ ଗୀତାଞ୍ଜଳି ବହୁ ପ୍ରୟାସ କରିଥିଲେ। ସେ ଆଶା କରିଥିଲେ ଯେ ରାହୁଲ ଗାନ୍ଧୀ ନିଜେ ଆସି ଜୁସ୍ ପିଆଇ ତାଙ୍କ ଅନଶନ ଭଙ୍ଗ କରାଇବେ। କିନ୍ତୁ ସେହି ପ୍ରୟାସ ସଫଳ ହୋଇନଥିଲା | ଏହାକୁ ନେଇ ସେ କହିଛନ୍ତି ଯେ, ବିଭିନ୍ନ ରାଜନୈତିକ ଦଳରୁ ସେ ଆଶା କରିଥିବା ସତ୍ତ୍ୱେ ସମର୍ଥନ ପାଇ ପାରିନଥିଲେ।
ଏହାସହ ସୋନମ ୱାଙ୍ଗଚୁକ କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ବିରୋଧରେ ମଧ୍ୟ ପ୍ରତିଶ୍ରୁତି ଭଙ୍ଗର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ସେ ଅନଶନ ଶେଷ କରିବା ପୂର୍ବରୁ ସୁପ୍ ପିଉଥିବା ଫଟୋ ସାର୍ବଜନୀନ କରାଯିବ ନାହିଁ ବୋଲି ଦୁଇ ନେତା ଆଶ୍ୱାସନା ଦେଇଥିଲେ। କିନ୍ତୁ ପରେ ସେହି ଫଟୋ ପ୍ରକାଶ ପାଇଥିବାରୁ ସେ ନିଜକୁ ପ୍ରତାରିତ ମନେ କରିଥିବା କହିଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ନେତାମାନଙ୍କ ଉପରେ ଆଉ ତାଙ୍କର କୌଣସି ଭରସା ନାହିଁ ବୋଲି ସୋନମ ୱାଙ୍ଗଚୁକ ପ୍ରତିକ୍ରିୟା ଦେଇଛନ୍ତି।

