Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦି–ସୁଖବୀରଙ୍କ ସାକ୍ଷାତକୁ ନେଇ ଜୋର ଧରିଲା ଚର୍ଚ୍ଚା; ପଞ୍ଜାବ ନିର୍ବାଚନ ପୂର୍ବରୁ ପୁଣି ହେବ କି ବିଜେପି–ଅକାଳୀ ମେଣ୍ଟ?

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ମଧ୍ୟରେ ପୁଣି ମେଣ୍ଟ ହୋଇପାରେ କି? ଏହି ପ୍ରଶ୍ନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ଏହାର କାରଣ ହେଉଛି, ଏସ୍‌ଏଡି ନେତା ସୁଖବୀର ସିଂହ ବାଦଲ ଦିଲ୍ଲୀରେ ସଂସଦ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ଯଦିଓ ଏହି ବୈଠକ ସମ୍ପର୍କରେ ବିଜେପି କିମ୍ବା ଅକାଳୀ ଦଳ ପକ୍ଷରୁ କୌଣସି ଆଧିକାରିକ ବିବୃତି ଜାରି କରାଯାଇନାହିଁ, ତଥାପି ଉଭୟ ଦଳ ପୁଣି ନିକଟତର ହେଉଥିବା ନେଇ ଆଲୋଚନା ଆରମ୍ଭ ହୋଇଛି।

ପ୍ରାୟ ୨୫ ବର୍ଷ ଧରି ବିଜେପି ଓ ଶିରୋମଣି ଅକାଳୀ ଦଳ ଏନ୍‌ଡିଏର ସହଯୋଗୀ ଭାବେ ରାଜନୀତି କରିଆସୁଥିଲେ। ହେଲେ ୨୦୨୦ରେ କେନ୍ଦ୍ର ସରକାର ପକ୍ଷରୁ ପ୍ରଣୀତ ତିନି କୃଷି ଆଇନକୁ ନେଇ ମତଭେଦ ବଢ଼ିବା ପରେ ଦୁଇ ଦଳର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଅକାଳୀ ଦଳ ଏନ୍‌ଡିଏରୁ ଅଲଗା ହେବା ସହ ହରସିମରତ କୌର ବାଦଲ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସୁଖବୀର ସିଂହ ବାଦଲ ଓ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ପଞ୍ଜାବର ବର୍ତ୍ତମାନର ଆଇନଶୃଙ୍ଖଳା ସ୍ଥିତି, ରାଜ୍ୟ ସରକାରଙ୍କ କାର୍ଯ୍ୟପ୍ରଣାଳୀ ଓ ଦୁର୍ନୀତି ଭଳି ପ୍ରସଙ୍ଗ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ତେବେ ଉଭୟ ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ କୌଣସି ନିଷ୍ପତ୍ତି କିମ୍ବା ଆଲୋଚନା ହୋଇଥିବା ସମ୍ପର୍କରେ କୌଣସି ଆଧିକାରିକ ପୁଷ୍ଟି ମିଳିନାହିଁ।

ଏହି ବୈଠକକୁ ନେଇ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ଦେଇ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତିଯେ, “ତେବେ କ’ଣ ବିଜେପି ଓ ଅକାଳୀ ଦଳ ପୁଣି ଏକାଠି ହେଉଛନ୍ତି?” ଉଲ୍ଲେଖଯୋଗ୍ୟ, ବିଜେପି ପୂର୍ବରୁ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ବୋଲି କହିଆସୁଛି। ଅନ୍ୟପଟେ ୨୦୨୨ ବିଧାନସଭା ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଉଭୟ ଦଳ ଅଲଗା ଅଲଗା ଲଢ଼ିଥିଲେ ଏବଂ ଆଶାନୁରୂପ ସଫଳତା ପାଇନଥିଲେ। ଏପରି ପରିସ୍ଥିତିରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଦଳ ପୁଣି ମେଣ୍ଟ ଦିଗରେ ଅଗ୍ରସର ହେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories