Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦ୍ରିନାଥ ମନ୍ଦିର ଦାନ ସାମଗ୍ରୀ ଚୋରି ମାମଲାରେ ସୁରକ୍ଷାକର୍ମୀ ଗିରଫ; ନଗଦ ସହ ବହୁ ଅଳଙ୍କାର ଜବତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଶ୍ରୀ ବଦ୍ରିନାଥ ମନ୍ଦିରର ଦାନ ଓ ଭେଟି ସାମଗ୍ରୀ ଚୋରି ମାମଲାରେ ପୁଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଚୋରି ଅଭିଯୋଗରେ ମନୋଜ କୁମାର ନାମକ ଜଣେ ସୁରକ୍ଷାକର୍ମୀଙ୍କୁ ଏସ୍‌ଆଇଟି ଗିରଫ କରିଛି। ସେ ଯୋଶୀମଠର ଲାମ ବାଗଡ଼ ଜଳବିଦ୍ୟୁତ ପ୍ରକଳ୍ପର ବ୍ୟାରେଜ୍‌ରେ ଜେପି ପାୱାର ଭେଞ୍ଚର୍ସ ଲିମିଟେଡ୍‌ ଅଧୀନରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଅତିଥି ଓ ସମ୍ପର୍କୀୟଙ୍କ ପାଇଁ ଭିଆଇପି ଦର୍ଶନ ବ୍ୟବସ୍ଥା କରିବା ଲାଗି ତାଙ୍କୁ ବଦ୍ରିନାଥ ମନ୍ଦିରକୁ ପଠାଯାଉଥିବା ପୁଲିସ କହିଛି।

ବଦ୍ରିନାଥ ମନ୍ଦିରରୁ ଦାନ ଓ ଭେଟି ସାମଗ୍ରୀ ଚୋରି ନେଇ ମାମଲା ରୁଜୁ ହେବା ପରେ ଏସ୍‌ଆଇଟି ତଦନ୍ତ ଚଳାଇଥିଲା। ପୂର୍ବରୁ ମନ୍ଦିର କମିଟିର ଦୁଇଜଣ କର୍ମଚାରୀଙ୍କୁ ଏହି ମାମଲାରେ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଅଗଷ୍ଟ ୬ ତାରିଖରେ ଏସ୍‌ଆଇଟି ଜୁନ୍‌ ୨୫ ଓ ୨୯ ତାରିଖର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଥାଲି ଭେଟି କାଉଣ୍ଟିଂ ରୁମ୍‌ରୁ ଦାନ ସାମଗ୍ରୀ ଉଠାଇ ନିଜ ପକେଟରେ ରଖୁଥିବା ଦେଖାଯାଇଥିଲା। ମନ୍ଦିର କମିଟି କର୍ମଚାରୀଙ୍କୁ ପଚରାଉଚରା କରିବା ପରେ ଉକ୍ତ ବ୍ୟକ୍ତି ମନୋଜ କୁମାର ବୋଲି ଜଣାପଡ଼ିଥିଲା। ଏହାପରେ ଚୋରି ଅଭିଯୋଗରେ ମାମଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫ ଯୋଡ଼ାଯାଇଥିଲା।

ଅଗଷ୍ଟ ୭ ତାରିଖରେ ମନୋଜଙ୍କୁ ଥାନାକୁ ଡାକି ସିସିଟିଭି ଫୁଟେଜ୍‌ ଦେଖାଇ ପଚରାଉଚରା କରାଯାଇଥିଲା। ପଚରାଉଚରା ସମୟରେ ସେ ଚୋରି କରିଥିବା ସ୍ୱୀକାର କରିବା ସହ ନିଜ କାର୍ଯ୍ୟ ପାଇଁ କ୍ଷମା ମାଗିଥିବା ପୁଲିସ ସୂଚନା ଦେଇଛି। ତାଙ୍କ ବୟାନ ଆଧାରରେ ଲାମ ବାଗଡ଼ସ୍ଥିତ ତାଙ୍କ ଘରୁ ଦୁଇ ଯୋଡ଼ା ଧଳା ଧାତୁର ବିଛିଆ, ୪ଟି ଧଳା ଧାତୁର କାନଫୁଲ, ହଳଦିଆ ଧାତୁର ନାକଫୁଲ, ୭ଟି ଧଳା କିମ୍ବା ତମ୍ବା ରଙ୍ଗର ଧାତୁ ମୁଦ୍ରା, ଧଳା ଧାତୁର ଦୁଇଟି ଖଣ୍ଡ, ଏକ ବର୍ଗାକାର ଧଳା ଧାତୁର ମୂର୍ତ୍ତି, ଦୁଇଟି ଛୋଟ ଧଳା ଧାତୁର ଚୁଡ଼ି, ଏକ ଛୋଟ ଧଳା ଧାତୁର ମୁଦ୍ରା, ଏକ ହାତ ବ୍ରେସଲେଟ୍‌, ମୟୂର ପର ଓ ଲାଲ୍‌ ପଥର ଲାଗିଥିବା ଧଳା ଧାତୁର ଛୋଟ ଦଣ୍ଡ ସହ ୬ ହଜାର ଟଙ୍କା ନଗଦ ଜବତ କରାଯାଇଛି। ଚୋରି କରିଥିବା କିଛି ସାମଗ୍ରୀ ତୀର୍ଥଯାତ୍ରୀଙ୍କୁ ବିକ୍ରି କରିଥିବା ମନୋଜ ପୁଲିସକୁ କହିଥିବା ବେଳେ, ତାଙ୍କ ମୋବାଇଲର ରିସାଇକେଲ୍‌ ବିନ୍‌ରୁ ଚୋରି ସାମଗ୍ରୀର ଫଟୋ ମଧ୍ୟ ମିଳିଥିବା ଏସ୍‌ଆଇଟି ସୂଚନା ଦେଇଛି। ମାମଲାରେ ଆହୁରି କିଏ ସମ୍ପୃକ୍ତ ଅଛନ୍ତି ଏବଂ ଚୋରି ହୋଇଥିବା ଅନ୍ୟ ସାମଗ୍ରୀ କେଉଁଠାରେ ରହିଛି, ସେନେଇ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories