Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୁଷରୁ ତେଲ କିଣୁଥିବା ଦେଶଙ୍କ ଉପରେ ଟ୍ରମ୍ପଙ୍କ କଡ଼ା ପଦକ୍ଷେପ; ଭାରତ ସମେତ ୫ ଦେଶ ପାଇଁ ସିନେଟ୍‌ରେ ପାସ୍ ହୋଇଛି ୧୦୦% ଟାରିଫ୍‌ ବିଲ୍‌!

ନୂଆଦିଲ୍ଲୀ: ରୁଷଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆର୍ଥିକ ଚାପ ବଢ଼ାଇବା ଦିଗରେ ଆମେରିକା ଆଉ ଏକ ପଦକ୍ଷେପ ନେଇଛି। ରୁଷରୁ ତେଲ ଆମଦାନି କରୁଥିବା ଦେଶଙ୍କ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ସମ୍ପର୍କିତ ଏକ ବିଲ୍‌ ଆମେରିକା ସିନେଟ୍‌ରେ ଗୃହୀତ ହୋଇଛି। ବିଲ୍‌ ସପକ୍ଷରେ ୮୬ ଜଣ ସିନେଟର ଭୋଟ ଦେଇଥିବାବେଳେ ୧୧ ଜଣ ବିରୋଧ କରିଛନ୍ତି। ପ୍ରସ୍ତାବିତ ବ୍ୟବସ୍ଥା ଲାଗୁ ହେଲେ ଭାରତ, ଚୀନ, ସ୍ଲୋଭାକିଆ, ହଙ୍ଗେରୀ ଓ ଆଜରବୈଜାନ ଭଳି ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଲାଗିପାରେ। ତେବେ ସିନେଟ୍‌ରେ ପାସ୍‌ ହୋଇଥିଲେ ମଧ୍ୟ ବିଲ୍‌ଟି ଏପର୍ଯ୍ୟନ୍ତ ଆଇନରେ ପରିଣତ ହୋଇନାହିଁ।

ରୁଷର ତେଲ ବିକ୍ରିରୁ ମିଳୁଥିବା ଆୟକୁ କମାଇ ତାହାର ଯୁଦ୍ଧ କ୍ଷମତା ଉପରେ ଚାପ ସୃଷ୍ଟି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଜୁଲାଇ ୨୩ରେ ଏନେଇ ଏକ ପ୍ରସ୍ତାବ ଆଗତ ହୋଇଥିଲା। ପ୍ରଥମେ ରୁଷ ସହ ବ୍ୟବସାୟ କରୁଥିବା ଦେଶଙ୍କ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଲଗାଇବାର ପ୍ରସ୍ତାବ ଥିଲା, ପରେ ଏହାକୁ ୧୦୦ ପ୍ରତିଶତରେ ସୀମିତ କରାଯାଇଛି। ଏହି ବିଲ୍‌କୁ ଉଭୟ ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌ ଦଳର ସାଂସଦଙ୍କ ସମର୍ଥନ ମିଳିଛି। ଏହା ସହିତ ୧୯୯୬ର ଇରାନ ପ୍ରତିବନ୍ଧ ଆଇନକୁ ୨୦୩୧ ପର୍ଯ୍ୟନ୍ତ ବଢ଼ାଇବାର ବ୍ୟବସ୍ଥା ମଧ୍ୟ ବିଲ୍‌ରେ ରହିଛି। ତେବେ ଇରାନ ସହ ବ୍ୟବସାୟ କରୁଥିବା ଅଣ-ଆମେରିକୀୟ କମ୍ପାନୀଙ୍କ ଉପରେ ଏହି ଆଇନ ଅଧୀନରେ ପ୍ରତିବନ୍ଧକ ଲାଗିପାରେ |

ସୂଚନା ଅନୁଯାୟୀ, ଏହି ବିଲ୍‌ଟି ଆଇନରେ ପରିଣତ ହେବାକୁ ଆହୁରି କିଛି ସମୟ ଲାଗିପାରେ |ସିନେଟ୍‌ ପରେ ଏହାକୁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ଗୃହୀତ ହେବା ମଧ୍ୟ ଆବଶ୍ୟକ। ଏହା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାକ୍ଷର ହେଲେ ହିଁ ଏହା ଆଇନରେ ପରିଣତ ହେବ। ତେବେ ଏହି ଆଇନ ଲାଗୁ ହେଲେ ରୁଷଠାରୁ ଆମେରିକାକୁ ଆସୁଥିବା କିଛି ସାମଗ୍ରୀ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଲଗାଇବାର ଅଧିକାର ରାଷ୍ଟ୍ରପତିଙ୍କୁ ମିଳିପାରେ, ଯାହା ପାଞ୍ଚ ଆଗାମୀ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଇରାନ ସହ ଯୁଦ୍ଧ ଓ ହୋର୍ମୁଜ୍‌ ଜଳମାର୍ଗକୁ ନେଇ ତୈଳ ଯୋଗାଣ ଉପରେ ଚାପ ସୃଷ୍ଟି ହୋଇଥିବାରୁ ଆମେରିକା ପ୍ରଶାସନ ରୁଷରୁ ତେଲ ଆମଦାନିକୁ ନେଇ ପୂର୍ବରୁ କିଛି ସମୟ ପାଇଁ ରିହାତି ଦେଇଥିଲା। ଏବେ ନୂଆ ବିଲ୍‌ ଆଗକୁ ବଢ଼ିବା ପରେ ଏହାର ପ୍ରଭାବ ଭାରତ ସମେତ ଅନ୍ୟ ଦେଶଙ୍କ ଉପରେ କିପରି ପଡ଼ିବ, ତାହା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ