ଘର ଆଗରେ ପୁଲିସ ମୁତୟନକୁ ନେଇ ଅଭିଜିତ ଦୀପକେଙ୍କ ଅସନ୍ତୋଷ; PSIଙ୍କୁ ହଟାଇବାକୁ କଲେ ଦାବି
ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର ୱାଲୁଜ୍ ଏମଆଇଡିସି ଅଞ୍ଚଳରେ ନିଜ ଘର ସୁରକ୍ଷାରେ ମୁତୟନ ପୁଲିସ କର୍ମଚାରୀଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଧମକ ମିଳିବା ପରେ ତାଙ୍କ ଘରେ ପୁଲିସ ସୁରକ୍ଷା ମୁତୟନ କରାଯାଇଥିଲା। ତେବେ ଅଭିଜିତଙ୍କ ଅଭିଯୋଗ ଅନୁସାରେ, ସୁରକ୍ଷାରେ ଥିବା ଜଣେ PSI ତାଙ୍କୁ ଦେଖା କରିବାକୁ ଆସୁଥିବା ଲୋକଙ୍କୁ ଘର ଭିତରକୁ ଯିବାକୁ ଅଟକାଉଥିଲେ ଏବଂ ସେମାନଙ୍କ ସହ କଠୋର ବ୍ୟବହାର କରୁଥିଲେ।
ଏହି ଘଟଣାକୁ ନେଇ ଅଭିଜିତ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି। ଭାଇରାଲ ହୋଇଥିବା ଏକ ଭିଡିଓରେ ଅଭିଜିତ ପୁଲିସକୁ ପ୍ରଶ୍ନ କରିବା ସହ, ସେ ଯେଉଁ ଲୋକଙ୍କୁ ନିଜ ଘରକୁ ଆସିବାକୁ କହୁଛନ୍ତି, ସେମାନଙ୍କୁ କାହିଁକି ଅଟକାଯାଉଛି ବୋଲି ପଚାରିଥିବା ଦେଖାଯାଉଛି। ଏଥିସହ ପୁଲିସର ଆଚରଣକୁ ନେଇ ସେ ଆପତ୍ତି ଉଠାଇଥିଲେ। ପରେ ଫୋନ୍ ଯୋଗେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇ PSI ସୁରେଶଙ୍କୁ ହଟାଇବାକୁ ଦାବି କରିଥିଲେ।
ଅନ୍ୟପକ୍ଷରେ, ନିଜ ଘର ନିକଟରେ ସାଦା ପୋଷାକରେ CID କର୍ମଚାରୀ ମୁତୟନ ଥିବା ନେଇ ମଧ୍ୟ ଅଭିଜିତ ଅଭିଯୋଗ କରିଛନ୍ତି। ତେବେ ତାଙ୍କ ଅଭିଯୋଗ ଓ PSIଙ୍କ ବିରୋଧରେ ହୋଇଥିବା ଦାବି ସମ୍ପର୍କରେ ପୁଲିସ ପକ୍ଷରୁ ତୁରନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ। ଘଟଣାକୁ ନେଇ ଭାଇରାଲ ଭିଡିଓ ଓ ଅଭିଯୋଗର ସତ୍ୟତା ଉପରେ ତଦନ୍ତ ପରେ ଅଧିକ ସ୍ପଷ୍ଟତା ସୂଚନା ମିଳିପାରେ ବୋଲି ସମ୍ଭାବନା ରହିଛି |

