ପ୍ରଧାମନ୍ତ୍ରୀ ମୋଦିଙ୍କୁ ଭେଟିଲେ ରାଘବ ଚଢ଼ା! ପଞ୍ଜାବ ରାଜନୀତିରେ ବଢ଼ିଲା ଚର୍ଚ୍ଚା, କହିଲେ- ‘ସ୍ମରଣୀୟ ସକାଳ’
ନୂଆଦିଲ୍ଲୀ: ବିଜେପି ସାଂସଦ ରାଘବ ଚଢ଼ା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ପଞ୍ଜାବ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଏହି ଅପ୍ରତ୍ୟାଶିତ ସାକ୍ଷାତକାରକୁ ନେଇ ବିଭିନ୍ନ ରାଜନୈତିକ ଆକଳନ ଆରମ୍ଭ ହୋଇଛି। ଚଢ଼ା ନିଜେ ଏହି ସାକ୍ଷାତକାରକୁ ‘ସ୍ମରଣୀୟ ସକାଳ’ ବୋଲି କହିବା ସହ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି।
ରାଘବ ଚଢ଼ା ଆମ୍ ଆଦମୀ ପାର୍ଟି ସହ ମତଭେଦ ପରେ ଚଳିତ ବର୍ଷ ଅନ୍ୟ ୬ ଜଣ ସାଂସଦଙ୍କ ସହ ବିଜେପିରେ ସାମିଲ ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଶନିବାରର ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ସେନେଇ ଚଢ଼ା କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇ ସେ ଖୁସି ଏବଂ ମୋଦିଙ୍କ ମାର୍ଗଦର୍ଶନରୁ ଲାଭ ପାଇବାର ସୁଯୋଗ ମିଳିଥିବାରୁ ସେ ଗଭୀର ଭାବେ କୃତଜ୍ଞ।
ଏହି ସାକ୍ଷାତକାର ପୂର୍ବରୁ ଶୁକ୍ରବାର ଶିରୋମଣି ଅକାଳୀ ଦଳ (ଏସ୍ଏଡି) ମୁଖ୍ୟ ସୁଖବୀର ସିଂହ ବାଦଲ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ଦୁଇଟି ସାକ୍ଷାତକାର ନିକଟତମ ସମୟରେ ହେବା ଏବଂ ପଞ୍ଜାବ ନିର୍ବାଚନ ପୂର୍ବରୁ ରାଜନୈତିକ ଗତିବିଧି ବଢ଼ୁଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ତୀବ୍ର ହୋଇଛି। ତେବେ ରାଘବ ଚଢ଼ାଙ୍କ ମୋଦିଙ୍କ ସହ ସାକ୍ଷାତକାରର ପ୍ରକୃତ ଉଦ୍ଦେଶ୍ୟ କିମ୍ବା ପଞ୍ଜାବ ରାଜନୀତିରେ ଏହାର ପ୍ରଭାବ କ’ଣ ହେବ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ସାକ୍ଷାତ ସାମାନ୍ୟ ନାଁ ରାଜନୈତିକ ତାହା ଆଗାମୀ ସମୟରେ ଜଣାପଡିବ|

