୧୮ ବର୍ଷରୁ କମ୍ଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା! ନାବାଳକଙ୍କ ସୁରକ୍ଷା ପାଇଁ ଆସିଲା SHIELD ବିଲ୍
ନୂଆଦିଲ୍ଲୀ: ନାବାଳକଙ୍କୁ ଅନଲାଇନ୍ ବିପଦରୁ ସୁରକ୍ଷିତ ରଖିବା ପାଇଁ ଏକ ନୂଆ ବେସରକାରୀ ସଂସଦୀୟ ବିଲ୍ରେ କଠୋର ବ୍ୟବସ୍ଥା ପ୍ରସ୍ତାବ ଦିଆଯାଇଛି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ପ୍ରସ୍ତାବ ଦେଇଥିବା ‘ସେଫଗାର୍ଡିଂ ହେଲ୍ଦି ଇଣ୍ଟରନେଟ୍ ଏନଭାୟରନମେଣ୍ଟ ଫର୍ ଲିଟିଲ୍ ଡିଜିଟାଲ୍-ନେଟିଭ୍ସ (SHIELD) ବିଲ୍, ୨୦୨୫’ରେ ୧୮ ବର୍ଷରୁ କମ୍ ବୟସର ସମସ୍ତଙ୍କୁ ଶିଶୁ ଭାବେ ଗଣନା କରାଯାଇଛି। ତେବେ ୧୩ ବର୍ଷରୁ କମ୍ ବୟସର ଶିଶୁ ଅଭିଭାବକଙ୍କ ସ୍ପଷ୍ଟ ଅନୁମତି ବିନା ସୋସିଆଲ ମିଡିଆ ଓ ଅନଲାଇନ୍ ଗେମିଂ ପ୍ଲାଟଫର୍ମରେ ନୂଆ ଆକାଉଣ୍ଟ ଖୋଲିପାରିବେ ନାହିଁ ବୋଲି ବିଲ୍ରେ ପ୍ରସ୍ତାବ ରହିଛି।
ବିଲ୍ରେ ନାବାଳକଙ୍କ ବ୍ୟକ୍ତିଗତ ତଥ୍ୟ ଆଧାରରେ ଟାର୍ଗେଟେଡ୍ ବିଜ୍ଞାପନ ଓ ଟ୍ରାକିଂ ଉପରେ କଟକଣା ଲଗାଇବା ସହ ପୋର୍ନୋଗ୍ରାଫି, ଜୁଆ, ହିଂସା ଓ ମାଦକଦ୍ରବ୍ୟ ସମ୍ବନ୍ଧୀୟ କଣ୍ଟେଣ୍ଟରୁ ଶିଶୁମାନଙ୍କୁ ଦୂରେଇ ରଖିବା ପାଇଁ ପ୍ଲାଟଫର୍ମଗୁଡ଼ିକୁ ଦାୟୀ କରିବାର ବ୍ୟବସ୍ଥା ରହିଛି। ଏହାସହ ଅଭିଭାବକମାନେ ପିଲାଙ୍କ ଅନଲାଇନ୍ କାର୍ଯ୍ୟକଳାପ ନଜରରେ ରଖିବା ଏବଂ ସ୍କ୍ରିନ୍ ଟାଇମ୍ ନିୟନ୍ତ୍ରଣ କରିବା ପାଇଁ ‘ପ୍ୟାରେଣ୍ଟାଲ କଣ୍ଟ୍ରୋଲ୍ ଡ୍ୟାସବୋର୍ଡ’ ସୁବିଧା ଯୋଗାଇବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।
ପ୍ରସ୍ତାବିତ ନିୟମ ଉଲ୍ଲଂଘନ କରୁଥିବା ପ୍ଲାଟଫର୍ମଗୁଡ଼ିକ ଉପରେ ସର୍ବାଧିକ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ବାରମ୍ବାର ନିୟମ ଉଲ୍ଲଂଘନ କଲେ ଆଇଟି ଆକ୍ଟର ଧାରା ୬୯-ଏ ଅଧୀନରେ ସେବାକୁ ସାମୟିକ ଭାବେ ବନ୍ଦ କରିବା ଭଳି ପଦକ୍ଷେପ ନେବାର ପ୍ରସ୍ତାବ ମଧ୍ୟ ରହିଛି। ତେବେ ଏହା ଏକ ବେସରକାରୀ ସଂସଦୀୟ ବିଲ୍ ହୋଇଥିବାରୁ ଏହି ବ୍ୟବସ୍ଥାଗୁଡ଼ିକ ଏପର୍ଯ୍ୟନ୍ତ ଆଇନରେ ପରିଣତ ହୋଇନାହିଁ।

