Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତଙ୍କବାଦୀ ନେଟୱର୍କ ଉପରେ ବଡ଼ ଆକ୍ସନ: ଜମ୍ମୁ-କଶ୍ମୀରର ୫ ଜିଲ୍ଲାରେ ଏକାଧିକ ସ୍ଥାନରେ ପୁଲିସର ଚଢ଼ାଉ

ଜମ୍ମୁ-କାଶ୍ମୀର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଅନଲାଇନ୍‌ ମାଧ୍ୟମରେ ଯୁବକଙ୍କୁ ଉଗ୍ରବାଦ ଆଡ଼କୁ ଟାଣିବା ଉଦ୍ୟମ ବିରୋଧରେ ପୁଲିସ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି। ଶନିବାର ଭୋର ସମୟରେ ଜମ୍ମୁ-କଶ୍ମୀର ପୁଲିସର କାଉଣ୍ଟର-ଇଣ୍ଟେଲିଜେନ୍ସ ୱିଙ୍ଗ ପକ୍ଷରୁ ବାରାମୁଲା, ଶୋପିଆନ, ଅନନ୍ତନାଗ, କୁପୱାରା ଓ ବାନ୍ଦିପୋରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକାଧିକ ଚଢ଼ାଉ କରାଯାଇଛି। ଅନଲାଇନ୍‌ରେ ଆତଙ୍କବାଦର ବିସ୍ତାର , ଯୁବକଙ୍କୁ ଉଗ୍ରବାଦୀ ଚିନ୍ତାଧାରାରେ ପ୍ରଭାବିତ କରିବା ଏବଂ ଆତଙ୍କୀ ସଂଗଠନରେ ନିଯୁକ୍ତି ଦେବା ଅଭିଯୋଗରେ ଏହି ଅଭିଯାନ ଚାଲିଛି।

ଶୋପିଆନରେ ଜମ୍ମୁ ଜେଲରେ ଥିବା ଉସମାନ ଗୁଲଜାରଙ୍କ ଘରେ ଚଢ଼ାଉ କରାଯାଇଥିବାବେଳେ, କୁପୱାରାରେ ସୋସିଆଲ ମିଡିଆରେ ଆତଙ୍କବାଦୀ ପ୍ରଚାର ପାଇଁ ସିମ୍ କାର୍ଡର ଅପବ୍ୟବହାର ଅଭିଯୋଗରେ ବାବର ଦାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ତଲାସି ହୋଇଛି। ସେହିପରି ବାନ୍ଦିପୋରାରେ ଅନଲାଇନ୍‌ ମାଧ୍ୟମରେ ଉଗ୍ରବାଦୀକରଣ କରାଯାଉଥିବା ଅଭିଯୋଗରେ ଲାଲି ନାମକ ଜଣେ ମହିଳାଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକର ନଜରରେ ଏହି ମାମଲାରେ ସୋସିଆଲ ମିଡିଆକୁ ବ୍ୟବହାର କରି ଆତଙ୍କବାଦୀ ସଂଗଠନର ପ୍ରଚାର ଓ ଯୁବକଙ୍କୁ ନିଯୁକ୍ତି ଦେବାର ଏକ ସୁସଂଗଠିତ ଉଦ୍ୟମ ଚାଲିଥିବା ଅଭିଯୋଗ ରହିଛି।

ସୂଚନା ଅନୁସାରେ, ସମ୍ପ୍ରତି ଘଟିଥିବା ଟାର୍ଗେଟ୍‌ କିଲିଂ ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ କଶ୍ମୀର ଉପତ୍ୟକାରେ ୫ ହଜାରରୁ ଅଧିକ ଲୋକଙ୍କୁ ପଚରାଉଚରା କରିଥିଲେ। ଏହି ପଚରାଉଚରା ସମୟରେ ଆତଙ୍କବାଦୀଙ୍କ ସ୍ଲିପର୍‌ ମଡ୍ୟୁଲ୍‌ଗୁଡ଼ିକୁ ପୁଣି ସକ୍ରିୟ କରିବା ଏବଂ ଡିଜିଟାଲ୍‌ ମାଧ୍ୟମରେ ନିଯୁକ୍ତି ଅଭିଯାନ ବଢ଼ାଇବା ନେଇ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ମିଳିଥିବା ଜଣାପଡ଼ିଛି। ନକଲି ସିମ୍‌, ଏନ୍‌କ୍ରିପ୍ଟେଡ୍‌ ଆପ୍‌ ଓ ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କବାଦୀ ପ୍ରଚାର ଏବଂ ଯୁବକଙ୍କୁ ନିଯୁକ୍ତି ଦେବା ଉଦ୍ୟମ ବିରୋଧରେ ‘ଜିରୋ ଟଲରେନ୍ସ’ ନୀତିରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories