ଜୁଏଲାରୀ ମାଲିକଙ୍କ କାର୍କୁ ଫାୟାରିଂ, ବାଇକ ଛାଡ଼ି ଫେରାର ହେଲେ ଦୁର୍ବୁତ୍ତ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର କୁପାରୀ ବଜାରରେ ଜୁଏଲାରୀ ମାଲିକଙ୍କ କାର୍ ଉପରକୁ ଗୁଳିମାଡ଼ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଜୁଏଲାରୀ ମାଲିକ ହରେକୃଷ୍ଣ ସାହୁଙ୍କ କାର୍କୁ ଦୁର୍ବୃତ୍ତମାନେ ୪ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। ଲୁଟ୍ ଉଦ୍ୟମରେ ଏହି ଆକ୍ରମଣ କରାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।
ଗୁଳିମାଡ଼ର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ତେବେ ଦୁର୍ବୃତ୍ତମାନେ ଫଲ୍ସ ଫାୟାରିଂ କରି ଲୋକଙ୍କୁ ଭୟଭୀତ କରି ସେଠାରୁ ଖସିଯାଇଥିଲେ। ସୂଚନା ଅନୁସାରେ, ପଲସର ଓ ୟୁନିକର୍ଣ୍ଣ ବାଇକ୍ରେ ୪ରୁ ଅଧିକ ଲୁଟେରା ଆସିଥିଲେ। ଫେରାର ହେବା ବେଳେ ସେମାନେ ଗୋଟିଏ ବାଇକ୍ ଘଟଣାସ୍ଥଳରେ ଛାଡ଼ି ଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଗୁଳିର ଖୋକା ଓ ଏକ ବାଇକ୍ ଜବତ କରାଯାଇଛି। ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଧରିବା ପାଇଁ ପୁଲିସ ତଦନ୍ତ ଜୋରଦାର କରିଛି। ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଲୁଟେରାଙ୍କ ସମ୍ପର୍କରେ ସୁରାକ୍ ଖୋଜାଯାଉଛି।

