Hyderabad Diwali Accident: ବାଣ ଫୁଟାଇବା ବେଳେ ୩୨ ଜଣଙ୍କ ଆଖିରେ ଆଘାତ, ଜଣଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ନଷ୍ଟ!
ହାଇଦ୍ରାବାଦ: ହାଇଦ୍ରାବାଦରେ ଦୀପାବଳି ଉତ୍ସବ ମଧ୍ୟରେ ଘଟିଛି ଅଘଟଣ। ବାଣ ଫୁଟାଇବା ବେଳେ ଆଖିରେ ଆଘାତ ଲାଗି ୩୨ ଜଣ ଚିକିତ୍ସା ପାଇଁ ମେହଦିପଟନମ୍ସ୍ଥିତ ସରକାରୀ ସରୋଜିନୀ ଦେବୀ ଚକ୍ଷୁ ହସ୍ପିଟାଲରେ ପହଞ୍ଚିଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣ ଶିଶୁ ଓ ୨ ଜଣ ବୟସ୍କଙ୍କ ସମେତ ୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୨୬ ଜଣଙ୍କୁ ଆଉଟ୍ପେସେଣ୍ଟ୍ ଭାବେ ଚିକିତ୍ସା କରାଯାଇ ପରବର୍ତ୍ତୀ ଯାଞ୍ଚ ପାଇଁ ଆସିବାକୁ କୁହାଯାଇଛି।
ଏହି ଘଟଣାରେ ଜଣେ ଆହତଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହସ୍ପିଟାଲର ରେସିଡେଣ୍ଟ ମେଡିକାଲ ଅଫିସର ଡାକ୍ତର ମହମ୍ମଦ ଇବ୍ରାହିମଙ୍କ କହିବା ଅନୁସାରେ, ଜରୁରୀକାଳୀନ ଚିକିତ୍ସା ପାଇଁ ୨୦ଟି ବେଡ୍ ସଂରକ୍ଷିତ ରଖାଯିବା ସହ ଡାକ୍ତରୀ ଟିମ୍କୁ ପ୍ରସ୍ତୁତ ରଖାଯାଇଥିଲା।
ଏଭଳି ଅଘଟଣକୁ ଏଡ଼ାଇବା ପାଇଁ ଡାକ୍ତରମାନେ ଅଭିଭାବକଙ୍କୁ ପିଲାମାନଙ୍କୁ ବିନା ତଦାରଖରେ ବାଣ ଫୁଟାଇବାକୁ ନଦେବାକୁ ପରାମର୍ଶ ଦେଇଛନ୍ତି। ହାତରେ ଜଳନ୍ତା ବାଣ ଧରିବା କିମ୍ବା ଅସାବଧାନତାର ସହ ବାଣ ଫୁଟାଇବା ଦ୍ୱାରା ଗୁରୁତର ଆଖି ଆଘାତ ଏବଂ ସ୍ଥାୟୀ ଦୃଷ୍ଟିଶକ୍ତି ହାନି ହୋଇପାରେ। ଆଖିରେ ଆଘାତ ଲାଗିଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।

