Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୭ ନିର୍ବାଚନ ପୂର୍ବରୁ ବଦଳୁଛି ରାଜନୈତିକ ରଣନୀତି; ଦୃଢ ସଂଗଠନ ଭାବେ ଉଭା ହେବ CJP! ଜେନ୍-ଜି ଭୋଟରଙ୍କ ଉପରେ ନଜର

ନୂଆଦିଲ୍ଲୀ: ଜନ୍ତରମନ୍ତରରେ ଛାତ୍ର ଆନ୍ଦୋଳନ ପରେ ଦେଶର ରାଜନୀତିରେ ବର୍ତ୍ତମାନ ଯୁବବର୍ଗଙ୍କ ଭୂମିକାକୁ ନେଇ ଚର୍ଚ୍ଚା ବଢ଼ିଛି। ବିଶେଷକରି ଜେନ୍-ଜି ଭୋଟରଙ୍କୁ ନିଜ ପକ୍ଷରେ ଆଣିବା ପାଇଁ ଶାସକ ଓ ବିରୋଧୀ ଦଳଗୁଡ଼ିକ ନିଜର ରଣନୀତି ବଦଳାଇବା ଆରମ୍ଭ କରିଛନ୍ତି। ଯୁବବର୍ଗଙ୍କ ଶିକ୍ଷା, ରୋଜଗାର, ପେପର ଲିକ୍, ପ୍ରଯୁକ୍ତି ଓ ଭବିଷ୍ୟତ ସୁଯୋଗ ଭଳି ପ୍ରସଙ୍ଗକୁ ନିର୍ବାଚନୀ ଏଜେଣ୍ଡାରେ ଅଧିକ ଗୁରୁତ୍ୱ ମିଳୁଛି। ଆସନ୍ତା ୨୦୨୭ରେ ଉତ୍ତରପ୍ରଦେଶ, ଗୁଜରାଟ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଯୁବ ଭୋଟରଙ୍କ ଉପରେ ରାଜନୈତିକ ଦଳଗୁଡ଼ିକର ନଜର ରହିଛି।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏଥର ୧୮ରୁ ୨୯ ବର୍ଷ ବୟସର ଭୋଟରମାନେ ଏହି ନିର୍ବାଚନଗୁଡ଼ିକରେ ଏକ ପ୍ରଭାବଶାଳୀ ଭୋଟର ଗୋଷ୍ଠୀ ହୋଇପାରନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ୭ ରାଜ୍ୟରେ ଏହି ବୟସ ବର୍ଗର ଭୋଟରଙ୍କ ଅଂଶ ପ୍ରାୟ ୨୭ ପ୍ରତିଶତ ବୋଲି ଦାବି କରାଯାଉଛି। ତେବେ ଗତ ବିଧାନସଭା ନିର୍ବାଚନରେ ଏହି ୭ ରାଜ୍ୟର ମୋଟ ୯୪୦ଟି ଆସନ ମଧ୍ୟରୁ ୨୫୨ଟି ଆସନରେ ବିଜୟ ବ୍ୟବଧାନ ୫ ପ୍ରତିଶତ କିମ୍ବା ତା’ଠାରୁ କମ୍ ଥିଲା। ତେଣୁ ଯୁବ ଭୋଟରଙ୍କ ମଧ୍ୟରୁ ଏକ ଛୋଟ ଅଂଶ ମଧ୍ୟ ଯଦି ଏକତରଫା ଭାବେ ଭୋଟ ଦିଅନ୍ତି, ତେବେ ଅନେକ ଆସନରେ ନିର୍ବାଚନୀ ସମୀକରଣ ପ୍ରଭାବିତ ହୋଇପାରେ। ଏହି କାରଣରୁ ଜେନ୍-ଜିଙ୍କୁ ନେଇ ବିଜେପି, କଂଗ୍ରେସ ଓ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକ ନିଜର ରଣନୀତି ଉପରେ ଜୋର ଦେଉଛନ୍ତି।

ଯୁବବର୍ଗଙ୍କ ସହ ସିଧାସଳଖ ଯୋଗାଯୋଗ ପାଇଁ ରାଜନୈତିକ ଦଳଗୁଡ଼ିକ ସୋସିଆଲ ମିଡିଆ, ଡିଜିଟାଲ ପ୍ଲାଟଫର୍ମ ଓ ବିଭିନ୍ନ ଯୁବକେନ୍ଦ୍ରିକ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ‘ଛାତ୍ରଙ୍କ କଥା’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପ୍ରସଙ୍ଗ ଉଠାଯାଉଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୁବପିଢ଼ିଙ୍କ ସହ ଯୋଗାଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ଯୁବ ଭୋଟର କେଉଁ ଦଳର ଆଭିମୁଖ୍ୟକୁ ଅଧିକ ପସନ୍ଦ କରିବେ, ତାହା ଆଗାମୀ ନିର୍ବାଚନରେ ସ୍ପଷ୍ଟ ହେବ। ଜେନ୍-ଜି ଭୋଟରଙ୍କ ମତଦାନ ଧାରା ଅନେକ ଆସନରେ ଫଳାଫଳ ବଦଳାଇବାର କ୍ଷମତା ରଖିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ