E20କୁ ବିରୋଧ କରୁଥିବା ଲୋକଙ୍କୁ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ, କହିଲେ‘ବାପାଙ୍କ ଘରୁ ଆସିବ କି ଶୁଦ୍ଧ ପେଟ୍ରୋଲ?’
ନୂଆଦିଲ୍ଲୀ: ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣକୁ ନେଇ ବିରୋଧ କରୁଥିବା ଲୋକଙ୍କୁ ଟାର୍ଗେଟ୍ କରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରେୱାର ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର। ରବିବାର ରେୱାରୁ ଭୋପାଳ ଓ କୋଲକାତାକୁ ନୂଆ ବିମାନ ସେବାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ E20 ପେଟ୍ରୋଲକୁ ସମର୍ଥନ କରି ବିରୋଧୀ ମାନଙ୍କୁ ତେରଗଡ କରି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ | ସେ କହିଥିଲେ “ତୁମ ବାପାଙ୍କ ଘରୁ କ’ଣ ଶୁଦ୍ଧ ପେଟ୍ରୋଲ ଆସିବ?” ତାଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ଜନାର୍ଦ୍ଦନ ମିଶ୍ର କହିଛନ୍ତି, ଭାରତ ନିଜ ଆବଶ୍ୟକତାର ମାତ୍ର ୨୦ ପ୍ରତିଶତ ତେଲ ଦେଶରେ ଉତ୍ପାଦନ କରୁଥିବା ବେଳେ ପ୍ରାୟ ୮୦ ପ୍ରତିଶତ ତେଲ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି। ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ତେଲ ଆମଦାନୀ ମଧ୍ୟ ପ୍ରଭାବିତ ହେଉଛି ବୋଲି ସେ ଦାବି କରିଛନ୍ତି। ଏହି ପରିସ୍ଥିତିରେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ନୀତି ଦେଶ ପାଇଁ ଆବଶ୍ୟକ ବୋଲି ସେ ଯୁକ୍ତି ଦେଇଛନ୍ତି। ବ୍ରାଜିଲରେ ଶତ ପ୍ରତିଶତ ଇଥାନଲରେ ମଧ୍ୟ ଗାଡ଼ି ଚାଲୁଛି ଏବଂ ଭାରତୀୟ ଗାଡ଼ି ମଧ୍ୟ ଇଥାନଲ ମିଶ୍ରିତ ଇନ୍ଧନରେ ଚାଲିପାରିବ ବୋଲି ସେ କହିଛନ୍ତି।
ସାଂସଦଙ୍କ ମତରେ, ଭାରତରେ ଇଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର କରିବାର କ୍ଷମତା ରହିଛି ଏବଂ ଅଟୋମୋବାଇଲ୍ ନିର୍ମାତାମାନେ ମଧ୍ୟ ଏନେଇ ଆଶ୍ୱସ୍ତ କରିଛନ୍ତି। ସେ କହିଛନ୍ତି, ଦେଶରେ ଉପଲବ୍ଧ ଇନ୍ଧନ ସମ୍ପଦକୁ ଦୃଷ୍ଟିରେ ରଖି ଇଥାନଲ ମିଶ୍ରଣ ନୀତି ଜାରି ରହିବା ଉଚିତ। ଏହି ଅବସରରେ ସେ ଭାରତରେ ରୋଜଗାର ସୁଯୋଗ ବଢ଼ିଥିବା ନେଇ ମଧ୍ୟ ଦାବି କରିଥିଲେ।

