Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, ଅମିତ ଶାହଙ୍କ ଜବାବ ଉପରେ ନଜର

ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନ ଏବଂ ଏହାକୁ ନେଇ ଦିଲ୍ଲୀ ଓ ବିହାରରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସଂସଦରେ ବିସ୍ତୃତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ। ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରଙ୍କ ପ୍ରତିବାଦ ସମୟରେ ଦିଲ୍ଲୀରେ ପେଲେଟ୍‌ ଗନ୍‌ ଏବଂ ବିହାରର ସିୱାନରେ AK-47 ବ୍ୟବହାର ନେଇ ବିରୋଧୀ ଦଳ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସଂସଦରେ ଜବାବ ଦେବାକୁ ଦାବି କରିଥିଲେ। ଏହା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛନ୍ତି ରିଜିଜୁ।

ରିଜିଜୁ କହିଛନ୍ତି, ଛାତ୍ର ଆନ୍ଦୋଳନ ସହ ଜଡ଼ିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ପୂର୍ଣ୍ଣାଙ୍ଗ ଆଲୋଚନା କରାଯାଇପାରିବ। ତେବେ ଗୃହମନ୍ତ୍ରୀ ଜବାବ ରଖୁଥିବା ସମୟରେ ବିରୋଧୀ ଦଳ ଗୃହରେ ହଟ୍ଟଗୋଳ ନକରି ତାଙ୍କର ବକ୍ତବ୍ୟ ଶୁଣିବା ଉଚିତ ବୋଲି ସେ କହିଛନ୍ତି। ରିଜିଜୁଙ୍କ ଏହି ମନ୍ତବ୍ୟ ପରେ ଅମିତ ଶାହ ସଂସଦରେ ଏହି ପ୍ରସଙ୍ଗରେ କ’ଣ ଜବାବ ରଖିବେ, ତାହା ଉପରେ ନଜର ରହିଛି।

ଏହା ପୂର୍ବରୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ସ୍ତମ୍ଭରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଦିଲ୍ଲୀରେ ପ୍ରତିବାଦକାରୀଙ୍କ ଉପରେ ପେଲେଟ୍ ଗନ୍‌ ବ୍ୟବହାର ଏବଂ ବିହାରର ସିୱାନରେ ଛାତ୍ରଙ୍କ ଉପରେ ଅସ୍ତ୍ର ବ୍ୟବହାର ନେଇ ସେ ପ୍ରଶ୍ନ ଉଠାଇଥିଲେ। ରାହୁଲଙ୍କ ଅଭିଯୋଗ ଅନୁସାରେ, ପ୍ରତିବାଦ ସମୟରେ କିଛି ଛାତ୍ର ଆହତ ହୋଇଛନ୍ତି। ସେ ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ସହ ସାକ୍ଷାତ କରିଥିବା ଏବଂ ତାଙ୍କ ଶରୀରରେ ପେଲେଟ୍‌ ଆଘାତ ଥିବା ଦାବି କରିଛନ୍ତି। ଏଥିସହ ବିହାରରେ ମଧ୍ୟ ଛାତ୍ର ଆନ୍ଦୋଳନକାରୀ ଆହତ ହୋଇଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories