ହଷ୍ଟେଲରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର! ରାଗିଂ ଅଭିଯୋଗରେ ୪ ସିନିୟର ଡାକ୍ତର ୬ ମାସ ପାଇଁ ନିଲମ୍ବିତ
ଗୁଜରାଟ: ଗୁଜରାଟର ସୁରଟ ସ୍ଥିତ ସରକାରୀ ମେଡିକାଲ କଲେଜ ହଷ୍ଟେଲରୁ ୩୦ ବର୍ଷୀୟ ପିଜି ଡାକ୍ତର ହର୍ଷ ପାଣ୍ଡ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ହର୍ଷ ନ୍ୟୁ ସିଭିଲ୍ ହସ୍ପିଟାଲର ମାଇକ୍ରୋବାୟୋଲୋଜି ବିଭାଗରେ ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁ ପରେ ରାଗିଂ ଓ ମାନସିକ ନିର୍ଯାତନା ନେଇ ଅଭିଯୋଗ ଉଠିଛି। ଘଟଣାର ତଦନ୍ତ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ ପାନସେରିୟାଙ୍କ ନିର୍ଦ୍ଦେଶରେ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ରବିବାର ସକାଳେ ହର୍ଷଙ୍କୁ ଜରୁରୀକାଳୀନ ଡ୍ୟୁଟିରେ ଯୋଗଦେବାର ଥିଲା। କିନ୍ତୁ ସେ ଡ୍ୟୁଟିରେ ନ ପହଞ୍ଚିବାରୁ ଜଣେ ସିନିୟର ଡାକ୍ତର ତାଙ୍କୁ ଫୋନ୍ କରିଥିଲେ। ଫୋନ୍ ବନ୍ଦ ଥିବାରୁ ହଷ୍ଟେଲରେ ରହୁଥିବା ଅନ୍ୟ ଜଣେ ରେସିଡେଣ୍ଟ ଡାକ୍ତରଙ୍କୁ ତାଙ୍କ ରୁମ୍ ଯାଞ୍ଚ କରିବାକୁ କୁହାଯାଇଥିଲା। ରୁମ୍ ଭିତରୁ ବନ୍ଦ ଥିବାରୁ ସୁରକ୍ଷାକର୍ମୀଙ୍କ ସହାୟତାରେ କବାଟ ଭାଙ୍ଗିବା ପରେ ହର୍ଷଙ୍କ ମୃତଦେହ ମିଳିଥିଲା। ପରିବାର ପକ୍ଷରୁ ତାଙ୍କ ପାଠପଢ଼ାରେ କୌଣସି ସମସ୍ୟା ନଥିବା କୁହାଯାଇଥିବା ବେଳେ ବିଭାଗରେ ସିନିୟର-ଜୁନିୟରଙ୍କ ମଧ୍ୟରେ କାମକୁ ନେଇ କେବେ କେବେ ସମସ୍ୟା ହେଉଥିବା ଜଣାପଡ଼ିଛି।
ତଦନ୍ତରେ ହର୍ଷଙ୍କୁ ୪ ଜଣ ସିନିୟର ରେସିଡେଣ୍ଟ ଡାକ୍ତର ନିୟମିତ ଭାବେ ହଇରାଣ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହା ପରେ ଡାକ୍ତର ନିରାଲି ବାସାଭେ, ଡାକ୍ତର ଅନୁଜ ମହେଶ୍ୱରୀ, ଡାକ୍ତର ଦିକ୍ଷିତ ଘେଭାରିୟା ଏବଂ ହିନା ଭୁତନେଙ୍କୁ ୬ ମାସ ପାଇଁ ହସ୍ପିଟାଲ, ହଷ୍ଟେଲ ଓ ସମସ୍ତ ଶିକ୍ଷାଗତ କାର୍ଯ୍ୟକଳାପରୁ ନିଲମ୍ବିତ କରାଯାଇଛି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଓ ଡାକ୍ତରଙ୍କ ବୟାନ ରେକର୍ଡ କରାଯାଉଛି। ରାଗିଂ, କଥିତ ନିର୍ଯାତନା ଏବଂ ବିଭାଗୀୟ ଚାପ ମଧ୍ୟରେ କୌଣସି ସମ୍ପର୍କ ଥିଲା କି ନାହିଁ, ତାହା ମଧ୍ୟ ତଦନ୍ତ କରାଯାଉଛି।

