Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମି ବିକି ମିଳିଥିଲା ୫ ଲକ୍ଷ, ମାଟି ତଳେ ଲୁଚାଇ ରଖିଥିଲେ ଚାଷୀ; ବର୍ଷକ ପରେ ମିଳିଲା ଉଇ ଖାଇଯାଇଥିବା ଛିଣ୍ଡା ନୋଟ୍

ରାଜସ୍ଥାନ: ରାଜସ୍ଥାନର ବାଲୋତ୍ରା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା। ଜମି ବିକ୍ରି କରି ମିଳିଥିବା ୫ ଲକ୍ଷ | ଟଙ୍କାକୁ ଚୋରି ହେବା ଭୟରେ ଘରେ ନରଖି ନିଜ ଜମିରେ ମାଟି ତଳେ ପୋତି ରଖିଥିଲେ ଜଣେ ଚାଷୀ। ଏପରିକି ଏହି ଟଙ୍କା ବିଷୟରେ ସେ ନିଜ ପତ୍ନୀ ଓ ପୁଅମାନଙ୍କୁ ମଧ୍ୟ ଜଣାଇନଥିଲେ। ତେବେ ପ୍ରାୟ ଏକ ବର୍ଷ ପରେ ଟଙ୍କା ଉଦ୍ଧାର କରିବା ବେଳେ ଯାହା ଘଟିଲା, ତାହା ଦେଖି ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି।

ସୂଚନା ଅନୁସାରେ, ପଚପଦ୍ରା ନିକଟସ୍ଥ ନେୱାଇ ଗାଁର ଚାଷୀ ମଙ୍ଗିଲାଲ ମେଘୱାଲ ପ୍ରାୟ ଏକ ବର୍ଷ ପୂର୍ବେ ଜମିର ଏକ ଅଂଶ ବିକ୍ରି କରି ୫ ଲକ୍ଷ ଟଙ୍କା ପାଇଥିଲେ। ଘରେ ଟଙ୍କା ରଖିଲେ ଚୋରି ହୋଇଯିବା ଆଶଙ୍କା ସହ ପୁଅମାନେ ଟଙ୍କା ଖର୍ଚ୍ଚ କରିଦେଇପାରନ୍ତି ବୋଲି ସେ ଚିନ୍ତା କରିଥିଲେ। ତେଣୁ ଟଙ୍କାକୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ରଖି ଜମିରେ ଏକ ଗାତ ଖୋଳି ପୋତି ଦେଇଥିଲେ। କିଛି ମାସ ପରେ ଜମିରେ ଘର ତିଆରି ପାଇଁ ଟଙ୍କା ଆବଶ୍ୟକ ହେବାରୁ ସେ ଟଙ୍କା ବାହାର କରିବାକୁ ଯାଇଥିଲେ। କିନ୍ତୁ କେଉଁ ସ୍ଥାନରେ ଟଙ୍କା ପୋତିଥିଲେ, ତାହା ତାଙ୍କର ମନେ ପଡ଼ିନଥିଲା। ପ୍ରାୟ ୧୦ ଡିସମିଲ ଜମିରେ ଖୋଜାଖୋଜି କରି ମଧ୍ୟ ଟଙ୍କା ମିଳିନଥିଲା। ପରେ ସେ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପରିବାର ସଦସ୍ୟମାନେ ମଧ୍ୟ ଖୋଜିଥିଲେ, ହେଲେ ସଫଳତା ମିଳିନଥିଲା।

ପ୍ରାୟ ଏକ ବର୍ଷ ପରେ ବର୍ଷା ଋତୁରେ ଜମିରୁ ଏକ ନଷ୍ଟ ହୋଇଥିବା ବ୍ୟାଗ୍‌ ମିଳିଥିଲା। ବ୍ୟାଗ୍‌ ଖୋଲିବା ପରେ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ, ଟଙ୍କା ଗୁଡ଼ିକୁ ଉଇ ଖାଇ ନଷ୍ଟ କରିଦେଇଛି। ବିଶେଷକରି ୫୦୦ ଟଙ୍କିଆ ନୋଟ୍‌ଗୁଡ଼ିକ ଅଧିକାଂଶ ଛିଣ୍ଡିଯାଇଥିଲା। ନଷ୍ଟ ହୋଇଥିବା ନୋଟ୍‌ଗୁଡ଼ିକୁ ନେଇ ପରିବାର ଲୋକେ ପ୍ରଥମେ ପଚପଦ୍ରାସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାକୁ ଯାଇଥିଲେ। କିନ୍ତୁ ନୋଟ୍‌ଗୁଡ଼ିକର ଅବସ୍ଥା ଯାଞ୍ଚ ପରେ ବ୍ୟାଙ୍କ ପକ୍ଷରୁ ସେଗୁଡ଼ିକୁ ବଦଳାଇବାକୁ ମନା କରାଯାଇଥିବା ଜଣାପଡ଼ିଛି। ପରେ ବାଲୋତ୍ରାର ଏସ୍‌ବିଆଇ ମୁଖ୍ୟ ଶାଖାକୁ ଯାଇଥିଲେ ମଧ୍ୟ ସେଠାରୁ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା। ଟଙ୍କା ବ୍ୟାଙ୍କରେ ରଖିବା ବଦଳରେ ଲୁଚାଇ ରଖିଥିବାରୁ ଚାଷୀଙ୍କ ପତ୍ନୀ ଓ ପୁଅ ଏବେ ତାଙ୍କୁ ଦାୟୀ କରୁଥିବା କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ