Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

5 ଷ୍ଟାର ହୋଟେଲ ବୁକ କରିଥିଲେ; ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ବାପାଙ୍କ ଆତ୍ମହତ୍ୟା ଉଦ୍ୟମ!

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ହୋଟେଲ ରୁମ୍‌ରୁ ଦୁଇ ନାବାଳିକା ଝିଅଙ୍କ ମୃତଦେହ ମିଳିଥିବା ବେଳେ ସେମାନଙ୍କ ବାପା ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତ ଦୁଇ ଝିଅଙ୍କ ବୟସ ୧୦ ଓ ୫ ବର୍ଷ ବୋଲି ପୁଲିସ ସୂଚନା ଦେଇଛି। ୪୦ ବର୍ଷୀୟ ଏସ୍‌ଜି ଇମ୍ରାନ୍‌ଙ୍କୁ ହୋଟେଲର ଶୌଚାଳୟରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଇମ୍ରାନ୍‌ ତାଙ୍କ ପତ୍ନୀଙ୍କ ଉପରେ ସନ୍ଦେହ କରୁଥିଲେ। ଏହି କାରଣରୁ ସେ ନିଜ ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ପୁଲିସ ସୂତ୍ର ଅନୁସାରେ, ଇମ୍ରାନ୍‌ ତାଙ୍କ ଦୁଇ ଝିଅଙ୍କୁ ଗଳା ଚିପି ହତ୍ୟା କରିଥିବା ଏବଂ ପରେ ଛୁରିରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି। ତେବେ ଘଟଣା ପଛର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ ଘଟଣାକ୍ରମ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଇମ୍ରାନ୍‌ ଓ ତାଙ୍କ ଦୁଇ ଝିଅ ଗତ ସନ୍ଧ୍ୟାରେ ହୋଟେଲରେ ଚେକ୍‌-ଇନ୍‌ କରିଥିଲେ। ପରଦିନ ଅପରାହ୍ଣ ପ୍ରାୟ ୪ଟାରେ ହୋଟେଲର ସଫେଇ କର୍ମଚାରୀ ରୁମ୍‌ର କବାଟ ବାଡ଼େଇଥିଲେ। କୌଣସି ଉତ୍ତର ନମିଳିବାରୁ କର୍ମଚାରୀ ରୁମ୍‌ ଭିତରକୁ ପ୍ରବେଶ କରିଥିଲେ। ସେଠାରେ ଦୁଇ ଝିଅଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ଶୌଚାଳୟରୁ ଇମ୍ରାନ୍‌ଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାକୁ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଇମ୍ରାନ୍‌ଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ପରେ ଘଟଣାର ପ୍ରକୃତ ପୃଷ୍ଠଭୂମି ଜଣାପଡ଼ିବ ବୋଲି ପୁଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories