Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର କରାଳ ରୂପ; କିଛି ସେକେଣ୍ଡରେ ଭାସିଗଲା ପୋଲ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ନଦୀର ଜଳସ୍ତର ବଢ଼ିବା ସହ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତୀବ୍ର ଜଳସ୍ରୋତରେ ଚମୋଲି ଜିଲ୍ଲା ଅଧୀନ ନୀତି ଉପତ୍ୟକା ଅଞ୍ଚଳରେ ଥିବା ଏକ ଲୁହା ପୋଲ କିଛି ସେକେଣ୍ଡ ମଧ୍ୟରେ ଭାସିଯାଇଛି। ଏହି ଘଟଣାର ଏକ ଭିଡିଓ ଭାଇରଲ ହେଉଛି | ଭିଡିଓରେ କାଦୁଅ ମିଶ୍ରିତ ପ୍ରବଳ ଜଳସ୍ରୋତ ନଦୀ ମଧ୍ୟଦେଇ ଦ୍ରୁତ ଗତିରେ ଆସି ପୋଲରେ ଧକ୍କା ଦେଉଥିବା ଦେଖାଯାଉଛି। ପ୍ରବଳ ସ୍ରୋତର ଚାପରେ ପୋଲଟି ମୂଳ ସ୍ଥାନରୁ ଉପୁଡ଼ି ଯାଇ ନଦୀକୂଳ ଆଡ଼କୁ ଟାଣି ହୋଇଯାଇଛି।

ଘଟଣା ସମୟରେ ନଦୀ କୂଳରେ ଥିବା ରାସ୍ତାରେ ଏକ ଟ୍ରକ୍‌ ଓ ଏକ SUV ଯାଉଥିଲା। ଭୟଙ୍କର ଜଳସ୍ରୋତ ଓ ପୋଲ ଭାସିଯିବାର ଦୃଶ୍ୟ ଦେଖି ଉଭୟ ଗାଡ଼ି ତୁରନ୍ତ ଦିଗ ବଦଳାଇଥିବା ଭିଡିଓରେ ଦେଖାଯାଇଛି। ପୋଲଟି ଭାସିଯିବା ପରେ ଅଞ୍ଚଳଟି ମୁଖ୍ୟ ସହରଠାରୁ ବିଚ୍ଛିନ୍ନ ହୋଇପଡ଼ିଛି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ଯାତାୟାତ ନକରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ସୁଧୁରିବା ଏବଂ ପ୍ରଶାସନ ପକ୍ଷରୁ ଯାତାୟାତ ପାଇଁ ଅନୁମତି ମିଳିବା ପର୍ଯ୍ୟନ୍ତ ଯାତ୍ରା ସ୍ଥଗିତ ରଖିବାକୁ କୁହାଯାଇଛି। ଏହାସହ ନଦୀ ଓ ଝରଣା କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଦୂରତାରେ ରହିବାକୁ ସତର୍କ କରାଯାଇଛି।

ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ଓ ପୁନର୍ବାସ ବିଭାଗର ସଚିବ ବିନୋଦ କୁମାର ସୁମନଙ୍କ ସୂଚନା ଅନୁସାରେ, ରବିବାର ରାତିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ହେଉଛି। ଦେହରାଦୁନ, ବାଗେଶ୍ୱର, ନୈନିତାଲ ଓ ଚମ୍ପାୱତ ଭଳି ଅଞ୍ଚଳ ପ୍ରଭାବିତ ହୋଇଛି। ରାଜ୍ୟରେ ଆହୁରି ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ରହିଛି। ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଏଭଳି ପରିସ୍ଥିତିରେ କିପରି ସୁରକ୍ଷିତ ରହିବେ, ସେନେଇ ଲୋକଙ୍କୁ ସୂଚନା ଦିଆଯାଉଛି। ପ୍ରବଳ ବର୍ଷା ଓ ନଦୀର ଜଳସ୍ତର ବୃଦ୍ଧି ଆଶଙ୍କା ଥିବାରୁ ଆଗାମୀ ଦିନରେ ମଧ୍ୟ ପରିସ୍ଥିତି ଉପରେ ନଜର ରଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories