Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ଫ୍ରେମ୍‌ରେ ଅମିତ ଶାହ ଓ ରାହୁଲ ଗାନ୍ଧୀ; ବିବାହ ରିସେପ୍ସନ୍‌ରେ ନଜର ଆସିଲା ବିରଳ ରାଜନୈତିକ ଦୃଶ୍ୟ

ନୂଆଦିଲ୍ଲୀ: ସାଧାରଣତଃ ରାଜନୈତିକ ମଞ୍ଚରେ ପରସ୍ପରର କଡ଼ା ବିରୋଧୀ ଭାବେ ଦେଖାଯାଉଥିବା ଅମିତ ଶାହ ଓ ରାହୁଲ ଗାନ୍ଧୀ ଗୋଟିଏ ଫ୍ରେମ୍‌ରେ ନଜର ଆସିଛନ୍ତି। ଏହି ବିରଳ ଦୃଶ୍ୟ ଦିଲ୍ଲୀରେ ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେଙ୍କ ଝିଅ ରେବତୀ ସୁଲେଙ୍କ ବିବାହ ରିସେପ୍ସନ୍‌ରେ ଦେଖିବାକୁ ମିଳିଛି। ଏହି ଅବସରରେ ଶାସକ ଓ ବିରୋଧୀ ଦଳର ଅନେକ ବଡ଼ ନେତା ଏକାଠି ହୋଇଥିଲେ।

ଦିଲ୍ଲୀର ୬ ଜନପଥରେ ଆୟୋଜିତ ଏହି ଭବ୍ୟ ରିସେପ୍ସନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଶରଦ ପୱାର, ଅଖିଳେଶ ଯାଦବ ଓ ପ୍ରଫୁଲ୍ଲ ପଟେଲଙ୍କ ସମେତ ବହୁ ରାଜନେତା ଯୋଗ ଦେଇଥିଲେ। ଅମିତ ଶାହ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ପରେ ରାହୁଲ ଗାନ୍ଧୀ ମଧ୍ୟ ମା’ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ମଞ୍ଚକୁ ଯାଇଥିଲେ। ଫଟୋ ଉଠାଇବା ସମୟରେ ସୁପ୍ରିୟା ସୁଲେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନବଦମ୍ପତିଙ୍କ ନିକଟରେ ଠିଆ କରାଇଥିଲେ।

ଏହି ରିସେପ୍ସନ୍‌ରେ ରାଜନୈତିକ ମତଭେଦକୁ ପଛରେ ରଖି ଅନେକ ନେତା ପରସ୍ପର ସହ ହସି ହସି କଥାବାର୍ତ୍ତା କରୁଥିବା ଓ ଶୁଭେଚ୍ଛା ବିନିମୟ କରୁଥିବା ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଶରଦ ପୱାର ଓ ତାଙ୍କ ପତ୍ନୀଙ୍କୁ ଭେଟିଥିଲେ। କେନ୍ଦ୍ରମନ୍ତ୍ରୀ ଏସ୍‌. ଜୟଶଙ୍କର ଓ କଂଗ୍ରେସ ସାଂସଦ ଦୀପେନ୍ଦର ହୁଡ୍ଡା ମଧ୍ୟ ପରସ୍ପର ସହ ହାତ ମିଳାଇ ହସୁଥିବା ନଜର ଆସିଥିଲେ। ସେହିପରି ଅଖିଳେଶ ଯାଦବ ବସିଥିବା ଟେବୁଲ୍‌ ନିକଟକୁ ଯାଇ ସୋନିଆ ଗାନ୍ଧୀ ତାଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଥିଲେ। ବିଭିନ୍ନ ଦଳର ନେତାଙ୍କ ଏଭଳି ମିଳନ ରିସେପ୍ସନ୍‌କୁ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ