Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦାନୀଙ୍କ ମାମଲା ଖାରଜ ପରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍‌: କହିଲେ- ‘ଭାରତକୁ ଦେବାକୁ ପଡ଼ୁଛି ବଡ଼ ମୂଲ୍ୟ’

ନୂଆଦିଲ୍ଲୀ: ଆମେରିକାର ଫେଡେରାଲ୍‌ କୋର୍ଟ ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କ ବିରୋଧରେ ଥିବା କିଛି ଅପରାଧିକ ଅଭିଯୋଗକୁ ସ୍ଥାୟୀ ଭାବେ ଖାରଜ କରିବା ପରେ ଭାରତୀୟ ରାଜନୀତିରେ ବିବାଦ ଜୋର ଧରିଛି । କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏକ୍ସରେ ପୋଷ୍ଟ କରି ରାହୁଲ କହିଛନ୍ତି, ଏହି ଘଟଣା ପଛରେ ଯାହା ଦେଖାଯାଉଛି, ତା’ଠାରୁ ଅଧିକ କିଛି ରହିଛି। ଜଣେ ‘ସମ୍ମତିଭିତ୍ତିକ ପ୍ରଧାନମନ୍ତ୍ରୀ’ ଭାରତର ସ୍ୱାର୍ଥକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିବା ସେ ଅଭିଯୋଗ କରିବା ସହ ଏଥିପାଇଁ ଦେଶକୁ ବଡ଼ ମୂଲ୍ୟ ଦେବାକୁ ପଡ଼ୁଛି ବୋଲି କହିଛନ୍ତି।

ନ୍ୟୁୟର୍କର ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟର ଜଜ୍‌ ନିକୋଲାସ ଗାରାଉଫିସ୍‌ ଆମେରିକାର ନ୍ୟାୟ ବିଭାଗର ଆବେଦନକୁ ଗ୍ରହଣ କରି ଗୌତମ ଆଦାନୀ, ସାଗର ଆଦାନୀ ଏବଂ ପୂର୍ବତନ ଆଦାନୀ ଗ୍ରୀନ୍‌ ଏନର୍ଜି ସିଇଓ ଭିନୀତ ଜୈନଙ୍କ ବିରୋଧରେ ଥିବା ତିନୋଟି ଅଭିଯୋଗ ଖାରଜ କରିଛନ୍ତି। ଏଥିରେ ସିକ୍ୟୁରିଟିଜ୍‌ ଫ୍ରଡ୍‌ କନ୍‌ସ୍ପିରେସି, ୱାୟାର୍‌ ଫ୍ରଡ୍‌ କନ୍‌ସ୍ପିରେସି ଏବଂ ସିକ୍ୟୁରିଟିଜ୍‌ ଫ୍ରଡ୍‌ ସମ୍ପର୍କିତ ଅଭିଯୋଗ ରହିଥିଲା। ତେବେ କୋର୍ଟ ଅଭିଯୋଗଗୁଡ଼ିକ ଭିତ୍ତିହୀନ ବୋଲି କୌଣସି ମତ ଦେଇନାହାନ୍ତି ଏବଂ ମାମଲାରେ ଟ୍ରାଏଲ୍‌ ମଧ୍ୟ ହୋଇନଥିଲା। ଆମେରିକାର ନ୍ୟାୟ ବିଭାଗ ମେ’ ମାସରେ ଦୀର୍ଘ ସମୀକ୍ଷା ପରେ ଅଭିଯୋଗ ଖାରଜ କରିବାକୁ ଆବେଦନ କରିଥିଲା। ଅନ୍ୟପଟେ ଆଦାନୀ ଗ୍ରୁପ୍‌ ଆରମ୍ଭରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଆସିଛି।

ତେବେ ମାମଲାର ଆଉ ଦୁଇଟି ଅଭିଯୋଗ ଉପରେ କୋର୍ଟ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି। ଏଥିରୁ ଗୋଟିଏ ଫରେନ୍‌ କରପ୍ଟ ପ୍ରାକ୍ଟିସେସ୍‌ ଆକ୍ଟ (FCPA) ଉଲ୍ଲଂଘନ ଏବଂ ଅନ୍ୟଟି ନ୍ୟାୟ ପ୍ରକ୍ରିୟାକୁ ବାଧା ଦେବା ପାଇଁ ଷଡ଼ଯନ୍ତ୍ର ସମ୍ପର୍କିତ। ଏହି ଅଭିଯୋଗରେ ଭାରତରେ ଥିବା ୫ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି। ରାୟ ପରେ ଗୌତମ ଆଦାନୀ ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ଜଣାଇ ନିଷ୍ପତ୍ତିକୁ ସ୍ୱୀକାର କରିଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପରେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ