ଭିଆଇପି ନୁହେଁ, ବରଂ ବୁଲା କୁକୁର ପାଇଁ ବନ୍ଦ ହେଲା ୨୦ରୁ ଅଧିକ ସ୍କୁଲ! ରାଜୌରୀରେ ପ୍ରଶାସନର ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ବନ୍ୟା, ବାତ୍ୟା କିମ୍ବା କୌଣସି ଜରୁରୀ କାଳୀନ ପରିସ୍ଥିତିରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ଘୋଷଣା କରାଯାଇଥାଏ | କିନ୍ତୁ ଆପଣ କେବେ ଶୁଣିଛନ୍ତିକି ଯେ, କୁକୁର ଲାଗି ସ୍କୁଲ ଛୁଟି ଘୋଷଣା କରାଯାଇଛି | ହଁ ଏହା ସତ! କୁକୁର ଲାଗି ଏଭଳି ଏକ ଘଟଣା ଘଟିଛି | ଯେଉଁଠି ବୁଲା କୁକୁରଙ୍କ ଆତଙ୍କରେ ପ୍ରଶାସନ ପକ୍ଷରୁ ବାଧ୍ୟ ହୋଇ ସ୍କୁଲ ବନ୍ଦ ଘୋଷଣା କରାଯାଇଛି |
ସୂଚନା ଅନୁସାରେ, ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲା କୋଟରଙ୍କା ବ୍ଲକ୍ରେ ସୋମବାର ସକାଳେ ସ୍କୁଲ ଯିବାକୁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ହଠାତ୍ ଏକ ନୋଟିସ୍ ଜାରି କରାଯାଇଥିଲା। ପ୍ରାୟ ୨୪ଟି ସ୍କୁଲକୁ ଦିନକ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ଅଞ୍ଚଳରେ ପୁଲିସ ଓ CRPF ଯବାନଙ୍କୁ ମୁତୟନ କରାଯାଇଥିଲା।
ଏହା କୌଣସି ଭିଆଇପି ଗସ୍ତ କିମ୍ବା ସୀମା ସୁରକ୍ଷା ସମ୍ପର୍କିତ ଘଟଣା ପାଇଁ ନୁହେଁ। ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କକୁ ନେଇ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିଲା। ଗତ ଦୁଇ ଦିନ ମଧ୍ୟରେ ବୁଲା କୁକୁରଙ୍କ କାମୁଡ଼ାରେ ୯ ଜଣ ଲୋକ ଆହତ ହୋଇଥିବା ଅଭିଯୋଗ ମିଳିବା ପରେ ପରିସ୍ଥିତିକୁ ଗମ୍ଭୀରତାର ସହ ନିଆଯାଇଥିଲା।
କୁକୁରଗୁଡ଼ିକୁ ଧରିବା ପାଇଁ ପୁଲିସ ଓ CRPF ସହ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ଗ୍ରାମ ପ୍ରତିରକ୍ଷା ବାହିନୀ (VDG) ସଦସ୍ୟମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଆହୁରି କାହାକୁ କୁକୁର କାମୁଡ଼ିବା ଭଳି ଘଟଣା ନଘଟିବା ଏବଂ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା।

