ମୁମ୍ବାଇର ୧୨ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ! ୨ ବର୍ଷର ଶିଶୁ ଓ ଯୁବତୀ ମୃତ, ୬ ଆହତ
ମୁମ୍ବାଇ: ମୁମ୍ବାଇର ଭିଲେ ପାର୍ଲେ (ପଶ୍ଚିମ) ଅଞ୍ଚଳରେ ଥିବା ଏକ ୧୨ ମହଲା ଆପାର୍ଟମେଣ୍ଟର ୧୧ତମ ମହଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୪,୦୦୦ ବର୍ଗଫୁଟ୍ ଅଞ୍ଚଳରେ ନିଆଁ ବ୍ୟାପିଯିବାରୁ ଅଢ଼େଇ ବର୍ଷର ଶିଶୁ ଅବୀର ଓ ୨୩ ବର୍ଷୀୟା ଅଙ୍କିତାଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ନିଆଁରେ ବୈଦ୍ୟୁତିକ ସରଞ୍ଜାମ, ଏସି, ଆସବାବପତ୍ର, ଫଲ୍ସ ସିଲିଂ ଓ ରୋଷେଇ ସାମଗ୍ରୀ ଜଳି ନଷ୍ଟ ହୋଇଛି।
ମୁମ୍ବାଇ ଅଗ୍ନିଶମ ବାହିନୀକୁ ରାତି ପ୍ରାୟ ୧୦ଟା ୨ ମିନିଟ୍ରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ପ୍ରଥମେ ଏହାକୁ ଲେଭଲ-୧ ଅଗ୍ନିକାଣ୍ଡ ଭାବେ ଘୋଷଣା କରାଯାଇଥିଲା। ତେବେ ନିଆଁର ଭୟାବହତା ବଢ଼ିବାରୁ ରାତି ୧୦ଟା ୧୬ ମିନିଟ୍ରେ ଏହାକୁ ଲେଭଲ-୨ ଘୋଷଣା କରାଯାଇଥିଲା। ପ୍ରାୟ ୩ ଘଣ୍ଟାର ଅପରେସନ୍ ପରେ ରାତି ୧ଟା ସୁଦ୍ଧା ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।
ଅଗ୍ନିକାଣ୍ଡରେ ଆହତ ୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ କୁପର ହସ୍ପିଟାଲ ଏବଂ ୬ ଜଣଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବୀର ଓ ଅଙ୍କିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଆହତଙ୍କ ମଧ୍ୟରୁ ୨ ଜଣ ଚିକିତ୍ସା ପରେ ଡିସ୍ଚାର୍ଜ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ଏନେଇ ଯାଞ୍ଚ ଜାରି ରହିଛି।

