ଚନ୍ଦ୍ରଶେଖରନ୍ଙ୍କ ବଡ଼ ଘୋଷଣା ପରେ ଟାଟା ଗ୍ରୁପ୍ରେ ହଲଚଲ, ଗୋଟିଏ ଦିନରେ ₹୪୬ ହଜାର କୋଟି ମାର୍କେଟ୍ ଭାଲ୍ୟୁ ହ୍ରାସ
ନୂଆଦିଲ୍ଲୀ: ଟାଟା ଗ୍ରୁପ୍ରେ ନେତୃତ୍ୱକୁ ନେଇ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି। ଟାଟା ସନ୍ସର ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନ୍ଙ୍କ ଉତ୍ତରାଧିକାରୀ ନେଇ ଘୋଷଣା ପରେ ଷ୍ଟକ୍ ମାର୍କେଟ୍ରେ ଟାଟା ଗ୍ରୁପ୍ର କମ୍ପାନୀଗୁଡ଼ିକୁ ବଡ଼ ଝଟକା ଲାଗିଛି। ଟାଟା ସନ୍ସର ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନ ଆଉ କାର୍ଯ୍ୟକାଳ ବୃଦ୍ଧି ନକରିବା ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୧୮ରେ ଟାଟା ସନ୍ସର ଏଜିଏମ୍ ବୈଠକ ପୂର୍ବରୁ ତାଙ୍କ ନିଷ୍ପତ୍ତି ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ୨୦୨୭ ଫେବ୍ରୁଆରୀ ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ।
ଏହା ପରେ ଟାଟା ଗ୍ରୁପ୍ର ପରବର୍ତ୍ତୀ ନେତୃତ୍ୱକୁ ନେଇ ବଜାରରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏହି ଖବରର ସିଧା ପ୍ରଭାବ ଟାଟାର ପ୍ରମୁଖ କମ୍ପାନୀଗୁଡ଼ିକର ସେୟାର ଉପରେ ପଡ଼ିଛି। Tata Consultancy Services (TCS)ର ସେୟାର NSEରେ ପ୍ରାୟ ୫.୯୫ ପ୍ରତିଶତ ହ୍ରାସ ପାଇ ₹୨,୩୦୦.୧୦ର ଇଣ୍ଟ୍ରାଡେ ନିମ୍ନସ୍ତରକୁ ଖସିଥିଲା। ସେହିପରି Tata Motors Passenger Vehiclesର ସେୟାର ପ୍ରାୟ ୪ ପ୍ରତିଶତ ଏବଂ Tata Steelର ସେୟାର ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। Tata Steelର ସେୟାର ପ୍ରାୟ ₹୧୮୩.୬୦କୁ ଆସିଥିଲା।
କେବଳ ଏହି କମ୍ପାନୀ ନୁହେଁ, Tata Elxsi, Tata Communications, Tata Technologies, Tata Power ଓ Trent ଭଳି ଅନ୍ୟ ଟାଟା କମ୍ପାନୀର ସେୟାର ମଧ୍ୟ ଚାପରେ ରହିଥିଲା। ନିବେଶକଙ୍କ ବ୍ୟାପକ ବିକ୍ରି ଯୋଗୁଁ ଟାଟା ଗ୍ରୁପ୍ର ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ସମୁଦାୟ ବଜାର ମୂଲ୍ୟ ପ୍ରାୟ ₹୪୬,୦୦୦ କୋଟି ହ୍ରାସ ପାଇଥିବା ଜଣାପଡ଼ିଛି। ଏବେ ନିବେଶକଙ୍କ ନଜର ଟାଟା ସନ୍ସର ପରବର୍ତ୍ତୀ ଚେୟାରମ୍ୟାନ୍ କିଏ ହେବେ ଏବଂ ନୂଆ ନେତୃତ୍ୱ ଗ୍ରୁପ୍ର ବ୍ୟବସାୟିକ ରଣନୀତି ଉପରେ କି ପ୍ରଭାବ ପକାଇବ, ତାହା ଉପରେ ରହିଛି।

