ଇଲେକ୍ଟ୍ରିକ୍ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍କା, ଅଧା ହେଲା ସବସିଡି; ଏବେ ମିଳିବ ମାତ୍ର ୫ ହଜାର
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ସ୍କୁଟର କିମ୍ବା ବାଇକ୍ କିଣିବାକୁ ଯୋଜନା କରିଥିବା ଗ୍ରାହକଙ୍କୁ ବଡ଼ ଝଟ୍କା। ସରକାର PM E-DRIVE ଯୋଜନାର ଅବଧି ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଢ଼ାଇଥିବା ବେଳେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଇନସେଣ୍ଟିଭ୍କୁ କମାଇଛନ୍ତି। ଏବେ ପ୍ରତି kWh ପିଛା ୨,୫୦୦ ଟଙ୍କା ହାରରେ ଇନସେଣ୍ଟିଭ୍ ମିଳିବ। ପୂର୍ବରୁ ଏହି ରାଶି ୫,୦୦୦ ଟଙ୍କା ଥିଲା।
ନୂଆ ନିୟମ ଅନୁସାରେ, ଯୋଗ୍ୟ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନରେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଇନସେଣ୍ଟିଭ୍ ମିଳିପାରିବ। ତେବେ ୨୦୨୪-୨୫ରେ ଏହି ସୀମା ୧୦,୦୦୦ ଟଙ୍କା ଥିଲା। ଏହାସହ ଇନସେଣ୍ଟିଭ୍ ପାଇବା ପାଇଁ ଗାଡ଼ିର ସର୍ବାଧିକ ଫ୍ୟାକ୍ଟରି ମୂଲ୍ୟ ୧.୫ ଲକ୍ଷ ଟଙ୍କା ରହିବା ଆବଶ୍ୟକ। ଏହାଠାରୁ ଅଧିକ ମୂଲ୍ୟର ଗାଡ଼ି ଏହି ଲାଭ ପାଇବ ନାହିଁ।
ସରକାର PM E-DRIVE ଯୋଜନା ପାଇଁ ମୋଟ ୧୧,୯୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ାଇବା ସହ ଦେଶର EV ଭିତ୍ତିଭୂମିକୁ ମଜବୁତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ସବସିଡି କମିବା ଯୋଗୁଁ ଏବେ ଇଲେକ୍ଟ୍ରିକ୍ ଦୁଇଚକିଆ କିଣିବା ସମୟରେ ଗ୍ରାହକଙ୍କୁ ପୂର୍ବ ତୁଳନାରେ କମ୍ ଆର୍ଥିକ ଲାଭ ମିଳିବ।

